ନାର୍କୋ କୋଅର୍ଡିନେସନ୍ ସେଣ୍ଟରର ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଞ୍ଜେଇ ଚାଷକୁ ରୋକିବ ସାଟେଲାଇଟ୍
ଭୁବନେଶ୍ୱର: ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ସହ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୮ମ ରାଜ୍ୟସ୍ତରୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର (ଏନସିଓଆରଡି)ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଶାଦ୍ରବ୍ୟର ବେଆଇନ କାରବାର ରୋକିବା, ନିୟମିତ ଯାଞ୍ଚ ଓ ଅଚାନକ ଚଢ଼ାଉ କରିବା ସହିତ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଏକ ସମନ୍ୱିତ ପ୍ରୟାସ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ପରିସର ଭାବେ ଗଢ଼ି ତୋଳିବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖାଯିବ। ଏହାବ୍ୟତୀତ ଶିକ୍ଷାନୁଷ୍ଠାନ ନିକଟରେ ଯେପରି କୌଣସି ପାନ ଦୋକାନ ନ ରହିବ, ସେନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ଜିଲ୍ଲାସ୍ତରରେ ଏକ ବାର୍ଷିକ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଅଧିକ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପ ଆୟୋଜନ କରାଯିବ।
ବେଆଇନ ନିଶା ଦ୍ରବ୍ୟ ଚାଷ, ବିଶେଷକରି ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପ୍ରଶାସନ ଉପଗ୍ରହ ଚିତ୍ର (ସାଟେଲାଇଟ୍ ଇମେଜ୍) ଏବଂ ରିମୋଟ୍ ସେନ୍ସିଂ ଜ୍ଞାନକୌଶଳର ବ୍ୟବହାର କରିବ। ରାଜ୍ୟର ୨୨ଟି ବ୍ଲକ୍ର ୮୦ଟି ହଟ୍ସ୍ପଟ୍ ପଞ୍ଚାୟତ ଅଧୀନରେ ଥିବା ୧୯୮ଟି ଗ୍ରାମରେ ଏନଡିପିଏସ ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। କେବଳ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ବେଆଇନ ନିଶା ଚାଷ କରୁଥିବା ଲୋକଙ୍କୁ ସଚେତନ କରି ସେମାନଙ୍କୁ ବିକଳ୍ପ ଚାଷ ତଥା ନୂତନ ଜୀବିକାର ସୁଯୋଗ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ନିଶା କାରବାର ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏସଟିଏଫ୍ ଏବଂ ନାର୍କୋ କୋର୍ଡିନେସନ ସେଣ୍ଟର ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବିଭାଗର ଯୁଗ୍ମ ଟିମ୍ ଗଠନ କରାଯାଇ ଆଗକୁ ନିୟମିତ ଯାଞ୍ଚ ଓ ଚଢ଼ଉ ପ୍ରକ୍ରିୟାକୁ ଜୋରଦାର କରାଯିବ।
ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ଡିଜି ବିନୟତୋଷ ମିଶ୍ର, ଏସଟିଏଫ୍ ଆଇଜି ହିମାଂଶୁ ଲାଲ୍, ଡିଆଇଜି ଡଃ କେ.ଭି. ସିଂହ, ବିଭିନ୍ନ ବିଭାଗର ସଚିବ, ଏନସିବି ଡିଡିଜି, ଏନସିବି ଭୁବନେଶ୍ୱର ଜୋନାଲ ନିର୍ଦ୍ଦେଶକ, ଓଡ଼ିଶା ମେରିଟାଇମ୍ ବୋର୍ଡର ମୁଖ୍ୟ, ନୌସେନା ଓ ସିଆଇଏସଏଫ୍ ଅଧିକାରୀଙ୍କ ସମେତ ଭୁବନେଶ୍ୱର ବିମାନବନ୍ଦର, ରେଳବାଇ ଏବଂ ପାରାଦୀପ ବନ୍ଦରର ପ୍ରବର୍ତ୍ତନ ଶାଖାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Powered by Froala Editor