ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛାପା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ରହିବ। ଏ ସଂପର୍କରେ ନବନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡାକ୍ତରଖାନା, ଔଷଧ ଦୋକାନ, କ୍ଷୀର ଗାଡ଼ି ଆଦି ଜରୁରୀ ସେବାକୁ ପ୍ରଭାବିତ ନକରି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ। ଗାଡ଼ି ମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରଖାଯାଇଛି।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସମୟରେ ବରମୁଣ୍ଡା ବସଷ୍ଟାଣ୍ଡ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚକୋଲେଟ୍ ଦେଇ ବନ୍ଦ ପାଇଁ ଅନୁରୋଧ କରୁଛନ୍ତି ଆନ୍ଦୋଳନକାରୀ। ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି। ୟୁନିଟ୍-୨ ମାର୍କେଟ ବିଲ୍ଡିଙ୍ଗରେ ସମସ୍ତ ଦୋକାନ ବନ୍ଦ ରହିଛି।
ସୂଚନାନୁଯାୟୀ, ଶ୍ରୀ କୁମାର କହିଛନ୍ତି ଯେ ସଂଗଠନ ୪୧ ଦିନ ଧରି ଅନଶନରେ ବସିବା ସତ୍ତ୍ୱେ ସରକାର ଆଲୋଚନା ପାଇଁ ଆସିଲେ ନାହିଁ। ପାଠ୍ୟପୁସ୍ତକରେ ତ୍ରୁଟି ପୁସ୍ତକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଚିଠି କରାଯାଇ ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ମଗାଯାଇଛି। ଏ ଯେଉଁ ଅନିୟମିତତା ହୋଇଛି, ସେଥିରେ ୩୮୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୂଆ ବହି ଛାପିବା ପାଇଁ ପୁଣି ସରକାର ୧୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପ୍ରଥମ ଶ୍ରେଣୀର ଯେଉଁ ବହି ଆସିଛି, ସେଥିରେ ୬ଟି ଭୁଲ୍ ଅଛି। ଏତେ ପଇସା ବରବାଦ ହେଉଥିବା ବେଳେ ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ କିଛି ନୈତିକ ଉତ୍ତରଦାୟିତ୍ୱ ଅଛି ନା ନାହିଁ? ତେଣୁ, ନୈତିକ ଉତ୍ତରଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଇସ୍ତଫା ଦିଅନ୍ତୁ। ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ କୁମାର କହିଛନ୍ତି। ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି କହିଛନ୍ତି, ଓଡ଼ିଶା ବନ୍ଦ ନେଇ ନବନିର୍ମାଣ ଛାତ୍ର ସଙ୍ଗଠନ ପକ୍ଷରୁ ଘରୋଇ ବସ୍ ମାଲିକ ସଂଘ ସହିତ କୌଣସି ଯୋଗାଯୋଗ ନାହିଁ। ମନଇଚ୍ଛା ଆମେ ବସ୍ ସେବାକୁ ବନ୍ଦ କରିପାରିବୁ ନାହିଁ। ପ୍ରତିଦିନ ପରି ସ୍ବାଭାବିକ ଭାବେ ବସ୍ ସେବା ଜାରି ରହିବ।
Powered by Froala Editor