ହାତୀ ଆକ୍ରମଣରେ ଚାଷୀ ମୃତ
କଳାହାଣ୍ଡି: ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ବେତିଆପଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ବିମ୍ବା ମାଝୀ। ସୂଚନା ଅନୂଯାୟୀ ବିମ୍ବା ନିଜ ଚାଷ ଜମିକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ତାଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି।
ଗତ କିଛି ଦିନ ଧରି ବେତିଆପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ଚଳପ୍ରଚଳ ଜାରି ରହିଥିଲା। ଏଭଳି ସ୍ଥିତିରେ ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ସଚେତନ କରାଯାଇନଥିବା ଏବଂ ସୁରକ୍ଷାମୂଳକ ପଦକ୍ଷେପରେ ଅବହେଳା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି । ଘଟଣାର ତଦନ୍ତ ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ସୂଚନା ଦେଇଛନ୍ତି।
Powered by Froala Editor