ଓଡ଼ିଶାରେ ବନ୍ୟା ସ୍ଥିତି ଆଣି ଦେଇଛି ଅର୍ଣ୍ଣବ
ଭୁବନେଶ୍ୱର: ଆକଳନଠୁ ବି ଭୟଙ୍କର ପ୍ରକୋପ । ଚାରିଦିନ କାଳ ନିର୍ଧୁମ ବର୍ଷିଲା । ଯିବା ଆଗରୁ ପବନ କୋପ ବି ଦେଲା । ଦକ୍ଷିଣ ଓଡ଼ିଶାକୁ କ୍ଷତାକ୍ତ କଲା । ଉପକୂଳ ଓ ଉତ୍ତରରେ ବି ପ୍ରବଳ ବର୍ଷା କରାଇଲା । ଏଭଳି ଗୁରୁତର ପ୍ରଭାବ ଦେଖାଇ ଅବପାତ ଓଡ଼ିଶା ଡେଇଁ ଛତିଶଗଡ଼ ପଳାଇଛି । ହେଲେ ଯିବା ପୂର୍ବରୁ ଏହା ଓଡ଼ିଶାରେ ବନ୍ୟା ସ୍ଥିତି ଆଣି ଦେଇଛି । ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ନଦୀ ଜଳସ୍ତର ଫୁଲି ଉଛୁଳିଲାଣି । ମହାନଦୀକୁ ଛତିଶଗଡ଼ ବର୍ଷା ଚିନ୍ତା ଘାରିଲାଣି ।
ପାଣିପାଗ ବିଭାଗ ଆକଳନ ହେଲା, ଆଜି ଆହୁରି ଗୋଟିଏ ଦିନ କିଛି ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ରବିବାରଠାରୁ ବର୍ଷା ପୂରା କମିବ । ଗଭୀର ଅବପାତ ୨୩ ତାରିଖ ରାତିରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ୨୪ ତାରିଖ ପୂରାକୁ ପୂରା ଦକ୍ଷିଣ ଓଡ଼ିଶାରେ କୋପ ଦେଖାଇଥିଲା । ଶୁକ୍ରବାର ସକାଳେ ଏହା ଅବପାତ ଅବସ୍ଥାକୁ ଆସିଲା । ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଲଗାଣ ବର୍ଷା ହୋଇଛି । ଦକ୍ଷିଣ ସହ ଉପକୂଳରେ ପ୍ରାୟ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇଛି । ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରୁ ଭୂସ୍ଖଳନ, ପୋଲ ଭାସିବା, ନଦୀ ଫୁଲିବା ଏବଂ ଗଛ ଓ ପଥର ଖସି ଯୋଗାଯୋଗ ବିଚ୍ଛିନ୍ନ ଖବର ଆସିଥିବାବେଳେ ଉତ୍ତର ଓଡ଼ିଶାରେ ବି ବନ୍ୟା ସ୍ଥିତି ଦେଖା ଦେଇଛି ।
ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହୀରାକୁଦ ୪ଟି ଗେଟ୍ ଖୋଲିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୪ ହଜାର ୯୧୯ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ସେତିକି ପାଣି ନିଷ୍କାସିତ ହେଉଛି । ହୀରାକୁଦ ଜଳସ୍ତର ୬୨୯.୬୫ ଫୁଟ ରହିଥିଲା ସନ୍ଧ୍ୟାରେ । ବ୍ରାହ୍ମଣୀ ଜଳସ୍ତର ବଢ଼ୁଥିଲେ ମଧ୍ୟ ବିପଦ ସଙ୍କେତ ତଳେ ଅଛି । ରାତି ୯ଟା ସୁଦ୍ଧା ଜେନାପୁରରେ ଜଳସ୍ତର ୨୦.୨୨ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର । ବୈତରଣୀ ବିପଦ ସଙ୍କେତ ଉପରେ ଚାଲିଛି । ଆଖୁଆପଦାରେ ଜଳସ୍ତର ୧୯.୨୪ ମିଟର ଥିଲା । ଏଠି ବିପଦ ସଙ୍କେତ ସ୍ତର ୧୮.୩୩ ।
ବୁଢ଼ାବଳଙ୍ଗ ବିପଦ ସଙ୍କେତ (୮.୧୩ ମି) ଉପରେ ପ୍ରବାହିତ ହେଉଛି । ଜଳସ୍ତର ୮.୨୬ ମିଟରରେ ଚାଲିଥିଲା । ସୁବର୍ଣ୍ଣରେଖା ଫୁଲୁଥିବାବେଳେ ଶନିବାରକୁ ରାଜଘାଟରେ ବିପଦ ସଙ୍କେତ ଟପିପାରେ । ଜଳସ୍ତର ୯.୭୧ ମିଟରରେ ପ୍ରବାହିତ ହେଉଥିଲା । ଜଳକା ମଥାନିରେ ବିପଦ ସଙ୍କେତ ଟପି ୬.୮୨ ମିଟରରେ ପ୍ରବାହିତ ହେଉଥିଲା । ଭଦ୍ରକରେ ସାଳନ୍ଦୀ ବିପଦ ସଙ୍କେତ (୧୭ ଫୁଟ) ଡେଇଁ ୧୮.୩୦ ଫୁଟରେ ପ୍ରବାହିତ ହେଉଛି । ଋଷିକୂଲ୍ୟା ଜଳସ୍ତର ୧୬.୧୫ ମିଟରରେ ଥିବାବେଳେ ପାଣି କମୁଛି । ବଂଶଧାରା ବିପଦ ସଙ୍କେତ (୫୪.୬୦ ମି) ଉପରେ ରହିଛି । ଏଠାରେ ଜଳସ୍ତର ୫୪.୬୯ ଥିବାବେଳେ କ୍ରମଶଃ ଖସୁଛି ।
ଏହି ଲଗାଣ ବର୍ଷା, ପବନ ଯୋଗୁ ୧୦ଟି ଜିଲ୍ଲାର ୫୬ଟି ବ୍ଲକ ଅନ୍ତର୍ଗତ ୮୫୭ ଗାଁ ଏବଂ ୭ଟି ସହରର ୨୮ଟି ୱାର୍ଡ ଅଧୀନସ୍ଥ ମୋଟ ୧୮ ହଜାର ୪୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୌଣସି ଜୀବନ ହାନି ସୂଚନା ହସ୍ତଗତ ହୋଇନାହିଁ । କେବଳ ନବରଙ୍ଗପୁରର ୪ଟି ଗାଁ ପାଣି ଘେରରେ ଥିଲା । କୋରାପୁଟରେ ୮୪୪, ମାଲକାନଗିରିରେ ୧୪୦୮, ଗଜପତିରେ ୭୬୫୨, କଳାହାଣ୍ଡିରେ ୨୧୧, ନବରଙ୍ଗପୁରରେ ୪୩୫୯ଙ୍କୁ ମିଶାଇ ପ୍ରାୟ ୧୪ ହଜାର ୪୮୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାକ୍ ସୂଚନା ଅନୁସାରେ ୪୦୪ଟି ଘର ନଷ୍ଟ ହୋଇଛି । ବର୍ଷା ଛାଡ଼ିବାର ୫ ଦିନ ଭିତରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଅବପାତ ବିଳାସପୁରଠାରୁ ଦକ୍ଷିଣ-ପୂର୍ବରେ ୫୦ କିମି ଦୂରରେ ଥିଲା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶକୁ ମୁହାଁଇବା ସମ୍ଭାବନା ଅଛି । ଶନିବାର ସନ୍ଧ୍ୟା ଯାଏ ଏହା ଅବପାତ ତୀବ୍ରତାରେ ରହିପାରେ । ତା’ପରେ କ୍ରମଶଃ ଦୁର୍ବଳ ହୋଇ ରାତିରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଓ ଲଘୁଚାପ ହେବ । ରବିବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ ।
Powered by Froala Editor