‘ସମ୍ବନ୍ଧ’ ନିବିଡ଼ ସମ୍ପର୍କ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ। ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା। ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏହା କହିଛନ୍ତି। ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମ୍ବନ୍ଧ’ କେବଳ ଗୋଟିଏ ଯୋଜନାର ଶୁଭାରମ୍ଭ ନୁହେଁ, ବରଂ ଏହା ସରକାର ଏବଂ ରାଜ୍ୟର ପ୍ରତ୍ୟେକ ଚାଷୀ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ। କୃଷକଙ୍କୁ ବିପୁଳ ସଂଖ୍ୟାରେ ପାକ୍ସ ଓ ଲାମ୍ପ୍ସରେ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର୍ ସେ ସମୃଦ୍ଧି’ ଆହ୍ୱାନ ଏବଂ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନକୁ ପାଥେୟ କରି ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ଏହି ନୂତନ ନୀତି ଅଧୀନରେ ପାକ୍ସ ଓ ଲାମ୍ପ୍ସଗୁଡ଼ିକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନ ରଖି ଗ୍ରାମାଞ୍ଚଳର ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି। ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଏମ୍ଏସ୍ପି ପ୍ରଦାନ କରାଯାଉଥିବା ବେଳେ ଗୋଟିଏ ଛାତ ତଳେ ସାର, ବିହନ, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଯୋଗାଇ ଦିଆଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର୍, ୨୫୦ଟି ଜନସେବା କେନ୍ଦ୍ର, ୬୦ଟି ନୂତନ କଞ୍ଜ୍ୟୁମର ଷ୍ଟୋର୍, ୭୦ଟି ପାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କ୍ରମରେ ୩୦୦ଟି ପାକ୍ସରେ ଏନ୍ଏଲ୍ପିଏସ୍ ମାଧ୍ୟମରେ ଅନ୍ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ପ୍ରଥମଥର ପାଇଁ ପାକ୍ସ ଓ ଲାମ୍ପ୍ସର ଚାଷୀ-ସଦସ୍ୟଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ୩୨୨ଟି ପାକ୍ସ ଓ ଲାମ୍ପ୍ସର ଚାଷୀଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି। ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ଲକ୍ଷ ଚାଷୀ ଲାଭାନ୍ୱିତ ହେବେ। ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ‘ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ।
ଏଥିସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ଜଣ ସହକାରୀ ଅଧୀକ୍ଷକ, ୧୯ଜଣ ପଣ୍ୟାଗାର ସହାୟକ ଏବଂ ୩୬ଜଣ ସମବାୟ ନିରୀକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ। ଏହି ସମାରୋହରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମବାୟ ମାଧ୍ୟମରେ ହିଁ ଗ୍ରାମୀଣ ଅର୍ଥନୀତିର ଦ୍ରୁତ ବିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ସଚିବ ଅନୁ ଗର୍ଗ ୨୦୩୬ ଓ ୨୦୪୭ ଲକ୍ଷ୍ୟ ପୂରଣ ଦିଗରେ ସମବାୟର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ। କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଗୁହା ପୁନମ୍ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ ସ୍ୱାଗତ ଭାଷଣ ଏବଂ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନୀଷ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।
Powered by Froala Editor