ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ
ବାରିପଦା: ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ଉଦବେଗଜନକ ହେବାରେ ଲାଗିଛି। ଶିମିଳିପାଳରେ ପ୍ରବଳ ବୃଷ୍ଟିପାତ ଯୋଗୁ ବାହାରିଥିବା ନଦୀଗୁଡିକରେ ଜଳସ୍ତର ବଢିଚାଲିଛି । ଅପରାହ୍ନ ସୁଦ୍ଧା ତଳି ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାରିପଦାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଫୁଲୁଥିବା ବେଳେ, ଶିମିଳିପାଳରୁ ବାହାରିଥିବା ପଳପଳା ନଦୀରେ ବନ୍ୟା ଯୋଗୁ ବୁଢ଼ାବଳଙ୍ଗର ଜଳସ୍ତର ବଢ଼ିବାରେ ଲାଗିଛି।
ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ, ଠାକୁରମୁଣ୍ଡା ଓ ବିଶୋଇ ବ୍ଲକରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ବିଜାତଳାରେ ୧୫୦ ମିଲିମିଟର, ରାଇରଙ୍ଗପୁରରେ ୧୨୪, କପ୍ତିପଦାରେ ୧୧୮, କୁସୁମୀରେ ୧୧୨ ଏବଂ ଉଦଳାରେ ୯୫.୩ ମିଲିମିଟର ବୃଷ୍ଟିପାତ ରେକର୍ଡ ହୋଇଛି।
ଶିମିଳିପାଳ ଜୈବମଣ୍ଡଳ ନଅଁଣାରେ ୧୨୩.୨ ମିଲିମିଟର ଓ କୁଳିପାଳରେ ସର୍ବାଧିକ ୩୬୨.୪୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ଜେନାବିଲରେ ୨୧୫.୧୩୮, ଭଞ୍ଜବସାରେ ୨୦୭.୦୧, ପୋଡ଼ାଡିହାରେ ୧୭୧.୯୫୮, ଡୋଭରେ ୧୪୧ ଏବଂ କବାଟଘାଇରେ ୧୩୭.୪୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ସେହିପରି ଶୁକ୍ରବାରେ ସକାଳ ୬ଟାରୁ ୯ଟା ମଧ୍ୟରେ ଉତ୍ତର ପିଠାବଟାରେ ୭୨.୧୨ ମିପୋଡ଼ାଡିହାରେ ୫୮.୪୨ ମିଲିମିଟର ବର୍ଷା ହୋଇଥିବା ବେଳେ ନଓଣାରେ ୩୮.୪, କେନ୍ଦୁମୁଣ୍ଡିରେ ୨୭.୯୪, ବରେହିପାଣିରେ ୨୪.୬୩ ଏବଂ ସାତକୋଶିଆରେ ୨୨.୩୫ ମିଲିମିଟର ବୃଷ୍ଟିପାତ ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲଗାଣ ବର୍ଷାର ପ୍ରଭାବରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି।
ବାଙ୍ଗିରିପୋଷି କାଳିଆମୀ ନିକଟରେ ବୁଢ଼ାବଳଙ୍ଗ ପୋଲ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ପଳପଳା ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ିବାରୁ ଏକାଧିକ ପୋଲ ଉପରେ ବନ୍ୟାପାଣି ଚାଲୁଛି। ଏହା ଯୋଗୁ ବାଲିଡିହା-କୁଚିଳାଘାଟୀ ଏବଂ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ ସାରସକଣା ବ୍ଲକର ଜାଲଦା ପଞ୍ଚାୟତ ଅନ୍ତର୍ଗତ ପୁନସିଆ ଗ୍ରାମରେ କାନ୍ଥ ପଡ଼ି ଚୁନୁ ନାଏକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ସାହି ଓ ବେତନଟୀ ବ୍ଲକର ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ଗଙ୍ଗାହାର ନଦୀର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେବାରୁ ବୈଶିଙ୍ଗା-ଭୀମଦା ଏବଂ ବଡ଼ସାହି-କୁଆମରା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ିଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଓଡ୍ରାଫ ଟିମ୍ ସହ ଜିଲାର ସମସ୍ତ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି।
Powered by Froala Editor