ମନ୍ତ୍ରୀଙ୍କ ଚାପ ପଡ଼ୁଥିବା ଅଭିଯୋଗ ଉଠାଇଲେ ସୌମ୍ୟଙ୍କ ଭାଇ

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ମାମଲାରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାଣିଛନ୍ତି ପରିବାର ଲୋକ । ମନ୍ତ୍ରୀଙ୍କ ଚାପ ପଡ଼ୁଥିବାରୁ ତଦନ୍ତକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ଉଠାଇଛନ୍ତି ସୌମ୍ୟଙ୍କ ଭାଇ । ତେଣୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ହାଇକୋର୍ଟଙ୍କ ଜରିଆରେ ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ସୌମ୍ୟଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟମାନେ ଏଜି ଛକସ୍ଥିତ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ସୌମ୍ୟଙ୍କ ମୃତୁ୍ୟ ମାମଲାର ତଦନ୍ତ ନିରପେକ୍ଷ କରିବାକୁ ସେମାନେ ଦାବି କରିଛନ୍ତି । ଏହା ପରେ ସେମାନେ ପୁଲିସ ସେବା ଭବନରେ ଥିବା ଡିଜିଙ୍କ କ୍ୟାମ୍ପ ଅଫିସକୁ ଯାଇ ଦାବିପତ୍ର ଦେଇଛନ୍ତି । ସୌମ୍ୟଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି, ନିଅାଁରେ ପୋଡ଼ି ହୋଇ ସୌମ୍ୟଙ୍କ ମୃତୁ୍ୟ ହେବାକୁ ୨୪ ଦିନ ବିତିଲାଣି । ଏ ଯାଏଁ ପୁଲିସ କାହାରିକୁ ଗିରଫ କରିପାରିନି । ସେପଟେ ରାଜନୈତିକ ଚାପ ଯୋଗୁଁ ପୁଲିସ ତଦନ୍ତକୁ ଭିନ୍ନ ମୋଡ଼ ଦେଉଛି । ଏମିତିକି ଜଙ୍ଗଲ ମନ୍ତ୍ରୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରାଙ୍କ ଉତ୍ତମ ସମ୍ପର୍କ ରହିଛି । ଏଥିରେ ସୌମ୍ୟଙ୍କ ଉଚ୍ଚ ଅଧିକାରୀ ତଥା ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଅନ୍ୟ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭୂମିକା ଥିଲେ ହେଁ ପୁଲିସ ସେମାନଙ୍କୁ କ୍ଲିନ ଚିଟ ଦେବାରେ ଲାଗିଛି ।
Powered by Froala Editor