କମିସନରେଟ ପୁଲିସର ମାର୍ଗଦର୍ଶିକା ଜାରି, ପୁଲିସ ପୋଷାକରେ ରିଲ୍ସ କରିବାକୁ ବାରଣ
ଭୁବନେଶ୍ବର : ଏଣିକି ପୁଲିସ କର୍ମଚାରୀ ବର୍ଦିରେ ଥାଇ ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରିବେନି। ଏନେଇ କମିସନରେଟ ପୁଲିସ ମାର୍ଗଦର୍ଶିକା ଜାରି କରିଛି। ପୁଲିସ ପୋଷାକରେ କିଛି କର୍ମଚାରୀ ଫଟୋ ଉଠାଇବା ସହ ରିଲ୍ସ ଓ ବ୍ଲଗ୍ ଆଦି କରୁଛନ୍ତି। ସାମ୍ପ୍ରତିକ ସମୟରେ ପୁଲିସ କର୍ମଚାରୀ ସାମାଜିକ ଗଣମାଧ୍ୟମ ଓ ଅନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ନିଜର କର୍ତ୍ତବ୍ୟ, ନିୟୋଜନ ଓ କାର୍ଯ୍ୟସ୍ଥଳ ସମ୍ବନ୍ଧୀୟ ଭିଡିଓ ସେୟାର କରୁଥିବା ଦେଖାଯାଉଛି। କିଛି କ୍ଷେତ୍ରରେ ଏଭଳି ଭିଡିଓ ଦ୍ୱାରା ଅଜାଣତରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସୂଚନା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ତ୍ରୁଟି ଏବଂ ଅବହେଳା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବା ସହ ସମ୍ବେଦନଶୀଳ ତଥ୍ୟ ସର୍ବସାଧାରଣଙ୍କ ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ମାର୍ଗଦର୍ଶିକା ଜାରି କରିଛି। ପୁଲିସ କର୍ମଚାରୀ ବର୍ଦିରେ ରହି ସାମାଜିକ ଗଣମାଧ୍ୟମରେ ଫଟୋ, ଭିଡିଓ ପୋଷ୍ଟ କରିବା ଉପରେ କଟକଣା ଜାରି କରାଯାଇଛି। ଏଥିସହ କର୍ତ୍ତବ୍ୟରତ ସେଣ୍ଟ୍ରି (ପ୍ରହରୀ)ଙ୍କୁ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକ ଭବନ, ଲୋକସେବା ଭବନ, ଶ୍ରୀ ଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅସ୍ତ୍ରାଗାର ଏବଂ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ପୁଲିସ କର୍ମଚାରୀ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି ଉଦ୍ଦେଶ୍ୟରେ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରି ଫଟୋ ଉଠାଇବେ ନାହିଁ କିମ୍ବା ଭିଡିଓ ରେକର୍ଡ କରିବେ ନାହିଁ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ ଏଭଳି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବେ। ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ଦସ୍ତଖତ ସମ୍ବଳିତ ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor