ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ: ବାଚସ୍ପତି
ଭୁବନେଶ୍ୱର : ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥାରେ ଗଣତନ୍ତ୍ରକୁ ଅନେକ ନୂତନ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ପ୍ରଯୁକ୍ତିବିଦ୍ୟା ବଦଳୁଛି ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହେଉଛି । କିନ୍ତୁ, ଗଣତନ୍ତ୍ର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନତା ସୁନିଶ୍ଚିତ କରିବା ଆବଶ୍ୟକ ଏବଂ ଏହି ନୀତି କେବେବି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ।
ଦକ୍ଷିଣ ଆଫି୍ରକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ‘ସୁଗମ୍ୟ ସଂସଦ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତିକରଣ’ କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ଋଷି ଅଷ୍ଟବକ୍ରଙ୍କ ଉଦାହରଣ ଦେଇ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ଭାରତୀୟ ଗଣତନ୍ତ୍ରରେ ମଧ୍ୟ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ୯୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଭୋଟର ଭାବରେ ପଞ୍ଜୀକୃତ ହୋଇଥିଲେ । ଏବେ ସଂସଦ ଓ ବିଧାନସଭାର ଡିଜିଟାଇଜେସନ୍ କରାଯାଉଛି ଏବଂ ଏହା ସେମାନଙ୍କ ପ୍ରତିନିଧିତ୍ୱ ଏବଂ ଯୋଗଦାନକୁ ଅଧିକ ସୁନିଶ୍ଚିତ କରିପାରିବ । ସରକାରଙ୍କ ଦ୍ୱାରା ପ୍ରଣିତ ‘ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬’ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମ୍ୟତା ଏବଂ ଅଂଶଗ୍ରହଣ ପାଇଁ ଅବସର ଆଣିଦେଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
ଏହି ଅବସରରେ ଝାଡ଼ଖଣ୍ଡର ବାଚସ୍ପତି ଶ୍ରୀ ରବିନ୍ଦ୍ରନାଥ ମହାତୋ, ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟର, ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ସିନ୍ଧେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଯୋଗଦେଇଛନ୍ତି ।
Powered by Froala Editor