ଆଇଏମ୍ଡି ପକ୍ଷରୁ ଓଡ଼ିଶା ସରକାରଙ୍କୁ ବାତ୍ୟା ଉପରେ କୌଣସି ସୂଚନା ଦିଆଯାଇନାହିଁ: ମନ୍ତ୍ରୀ
ଭୁବନେଶ୍ବର: ସାମୁଦ୍ରିକ ଝଡ଼ ନେଇ ଅନ୍ତର୍ଜାତୀୟ ଘରୋଇ ପାଣିପାଗ ସଂସ୍ଥାଗୁଡ଼ିକଙ୍କ ଆକଳନକୁ ନେଇ ପାଣିପାଗ ବିଜ୍ଞାନୀ ଭିନ୍ନଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତା’ର ବିସ୍ତାରିତ ରିପୋର୍ଟରେ ଏ ବାବଦରେ ଉଲ୍ଲେଖ କରିନାହିଁ। ସମ୍ଭାବ୍ୟ ଲଘୁଚାପ ୨୧ରୁ ୨୨ତାରିଖ ସୁଦ୍ଧା ଅବପାତ ରୂପ ନେଇପାରେ ବୋଲି ଆଇଏମ୍ଡି ସ୍ପଷ୍ଟ କରିଛି। କିନ୍ତୁ ବାତ୍ୟା ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଅନ୍ୟପଟେ, ବାତ୍ୟାକୁ ନେଇ କିଛି ଘରୋଇ ପାଣିପାଗ ସଂସ୍ଥା ପକ୍ଷରୁ କରାଯାଉଥିବା ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଘରୋଇ ପାଣିପାଗ ସଂସ୍ଥାଗୁଡ଼ିକ ନିଜନିଜ ଆକଳନ କରୁଛନ୍ତି। ସେମାନେ ତାଙ୍କ ଅଙ୍କ କଷନ୍ତୁ। କିନ୍ତୁ ଆଇଏମ୍ଡି ପକ୍ଷରୁ ଓଡ଼ିଶା ସରକାରଙ୍କୁ ବାତ୍ୟା ଉପରେ କୌଣସି ସୂଚନା ଦିଆଯାଇନାହିଁ। ରାଜ୍ୟ ସରକାର ୩୬୫ଦିନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଯେତେ ଉପକୂଳ ଆଡ଼କୁ ଆସିବ, ତୀବ୍ରତା ଉପରେ ସେତେ ସ୍ପଷ୍ଟ ଆକଳନ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ବାତ୍ୟା ସମ୍ପର୍କରେ ଆଇଏମ୍ଡି ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ଆଇଏମ୍ଡି ଆକଳନ ରିପୋର୍ଟକୁ ଜନସାଧାରଣ ଅଧିକ ଗୁରୁତ୍ବ ଦିଅନ୍ତୁ। କିନ୍ତୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ୨୧ ତାରିଖ ବେଳକୁ ସମ୍ଭାବ୍ୟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଆସିବାକୁ ଦୁଇ ଦିନ ସମୟ ଲାଗିଯିବ। ଏହାରି ଭିତରେ ଅବପାତ ଅଧିକ ଘନୀଭୂତ ହୋଇ ଅତି ବଡ଼ ହେଲେ ଗଭୀର ଅବପାତ ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ, କିଛି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରୁଛନ୍ତି ଯେ ସମ୍ଭାବ୍ୟ ଅବପାତ କିମ୍ବା ଗଭୀର ଅବପାତ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳଠାରୁ ୩୦୦ରୁ ୪୦୦କି.ମି ସମୁଦ୍ରରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଘରୋଇ ପାଣିପାଗ ସଂସ୍ଥାଗୁଡ଼ିକର ଆକଳନ ଅନୁସାରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟା ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁନାହିଁ। ଗୁରୁବାର ସକାଳର ପୂର୍ବାନୁମାନ ଅନୁସାରେ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ଆହୁରି ଦୃଢ଼ ହୋଇଛି। ଏହାର ସମୟ ମଧ୍ୟ ଅଧିକ ସ୍ପଷ୍ଟ ହେଉଛି। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ୧୮ରେ ଉତ୍ତର ଆଣ୍ଡାମାନ ସାଗରକୁ ଆସିବାର ସମ୍ଭାବନା ଅଛି। ଏହା ପ୍ରଭାବରେ ୧୯ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ପରେ ଅଧିକ ଘନୀଭୂତ ହୋଇପାରେ। ଇସିଏମ୍ଡବ୍ଲ୍ୟୁଏଫ୍/ ଇପିଏସ୍, ଜିଏଫ୍ଏସ୍/ଜିଇଏଫ୍ଏସ୍ ସହିତ ଆଇଏମ୍ଡି-ଜିଏଫ୍ଏସ୍ ଓ ଏନ୍ସିୟୁଏମ୍/ଏନ୍ସିଏମ୍ଆର୍ଡବ୍ଲ୍ୟୁଏଫ୍ ପାଣିପାଗ ସଂସ୍ଥାଗୁଡ଼ିକର ସାମଗ୍ରିକ ଆକଳନ ଅନୁସାରେ ୨୨ରୁ ୨୩ ତାରିଖ ବେଳକୁ ଏହା ଅବପାତ ଏବଂ ୨୩ରୁ ୨୪ତାରିଖ ବେଳକୁ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆହୁରି ଘନୀଭୂତ ହୋଇ ବାତ୍ୟା ହେବାର ସମ୍ଭାବନାକୁ ମଧ୍ୟ ଏବେ ବାଦ୍ ଦିଆଯାଇପାରୁନାହିଁ। ଗତିପଥ ଓ ଶେଷ ତୀବ୍ରତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।ବର୍ତ୍ତମାନର ପ୍ରମୁଖ ଆକଳନ ଏହାକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ନେଉଛି। କିନ୍ତୁ କେତେକ ବିଶ୍ୱସ୍ତରୀୟ ପାଣିପାଗ ସଂସ୍ଥାର ଆକଳନରେ ଗତିପଥ ଆହୁରି ଉତ୍ତରକୁ ଯାଉଥିବା ଦେଖାଯାଉଛି। ତେଣୁ ସୃଷ୍ଟି ଓ ସମୟକୁ ନେଇ ବିଭିନ୍ନ ମଡେଲ୍ ମଧ୍ୟରେ ସମନ୍ୱୟ ବଢ଼ିଛି।
Powered by Froala Editor