ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ।
ଡିଜିଟାଲ୍ ଯୁଗରେ ମଧ୍ୟ ନୂଆଁଖାଇ ଜୁହାର ପରମ୍ପରା ନିଆରା। ସାମାଜିକ ଗଣମାଧ୍ୟମରେ ଆଜି ‘ନୂଆଁଖାଇ ଜୁହାର୍’ ଏକ ଷ୍ଟାଟସ୍ କିମ୍ବା ରିଲ୍ରେ ସୀମିତ ନୁହେଁ। ଏହା ଯୁବପିଢ଼ିଙ୍କ ସ୍ୱାଭିମାନର ପ୍ରତୀକ। ବଡ଼ଙ୍କୁ ପ୍ରଣାମ କରିବା ଏବଂ ସମବୟସ୍କଙ୍କ ସହ ‘କୋଳାକୋଳି’ ହେବାର ନିଆରା ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନି। ଅହଂକାର ଭୁଲି କ୍ଷମା କରିବା ଓ ଆଲିଙ୍ଗନ କରିବାର ମହାନ ବାର୍ତ୍ତା ଯୁବସମାଜକୁ ପାରିବାରିକ ମୂଲ୍ୟବୋଧ ସହ ବାନ୍ଧି ରଖିଛି। ନୂଆଁଖାଇରେ ସମ୍ବଲପୁରୀ ପୋଷାକକୁ ଗର୍ବର ସହ ପରିଧାନ କରି ହାତବୁଣା ଯେ ଅନ୍ତର୍ଜାତିକ ଫ୍ୟାସନ ହୋଇପାରେ, ତାହା ଆଜିର ଯୁବପିଢ଼ି ପ୍ରମାଣିତ କରିଛନ୍ତି। ଏହା ସ୍ଥାନୀୟ ବୁଣାକାରଙ୍କ ଆର୍ଥିକ ବିକାଶରେ ବିରାଟ ଭୂମିକା ଗ୍ରହଣ କରିପାରିଛି।
ନୂଆଁଖାଇ ଆଜି କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ସୀମିତ ନୁହେଁ, ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ଦୁବାଇ, ଆମେରିକା, ଲଣ୍ଡନ ଓ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦେଶ ମାଟିରେ ବୃହତ୍ ଆକାରରେ ‘ନୂଆଁଖାଇ ଭେଟ୍ଘାଟ୍’ ଆୟୋଜନ କରି ନୂଆଁଖାଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚିପାରିଛି। ପଶ୍ଚିମ ଓଡ଼ିଶାର ଢୋଲ, ନିଶାନ, ମହୁରୀର ସ୍ବର ଆଜି ବିଶ୍ବର ବିଭିନ୍ନ ପ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିଥିବା ବେଳେ ସମ୍ବଲପୁରୀ ନୃତ୍ୟ ଓ ଗୀତକୁ ଆଧୁନିକ ଫ୍ୟୁଜନ୍ ସଙ୍ଗୀତ ସହ ମିଶାଇ ନୂଆ ପିଢ଼ିର କଳାକାର ଏହାକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେଇପାରିଛନ୍ତି। ଯୁବପିଢ଼ି ପାଇଁ ନୂଆଁଖାଇ ଅତୀତର ନିୟମ ନୁହେଁ, ଏହା ମାଟିର ସ୍ନେହ ଓ ଆତ୍ମୀୟତାର ବନ୍ଧନ ଏହା ପ୍ରମାଣିତ ହୋଇଛି।
Powered by Froala Editor