ଚାକିରି ବିକି୍ର ରାକେଟରେ ଲୋକସେବା ଭବନର ଡ୍ରାଇଭର!

ଭୁବନେଶ୍ୱର: ଚାକିରି ବିକି୍ର ରାକେଟ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଏକାଧିକ ଅଭିଯୋଗ ଆସିବାରେ ଲାଗିଛି । ଆଇନଜୀବୀ ସୁଧୀର ମହାନ୍ତି ଭିଜିଲାନ୍ସ ଏସପିଙ୍କୁ ଭେଟି ରାକେଟର ସମ୍ପୃକ୍ତ ଜଣେ ଡ୍ରାଇଭରଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି । ଡ୍ରାଇଭର ଜଣଙ୍କ ବହୁ ବର୍ଷ ହେଲା ଲୋକସେବା ଭବନରେ କାର୍ଯ୍ୟରତ ଅଛନ୍ତି । ସେ କୁଆଡେ଼ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରି ବିରଞ୍ଚିଙ୍କ ପାଖରେ ପହଞ୍ଚାନ୍ତି । ଏ ସମ୍ପର୍କରେ ଗତ ୬ ମାସ ତଳୁ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ନିମାପଡ଼ାର ଏହି ଡ୍ରାଇଭର ଜଣଙ୍କ ତାଙ୍କ ଗାଁର ଅନେକ ଲୋକଙ୍କୁ ପୁଲିସରେ ଚାକିରି କରାଇ ଦେଇଛନ୍ତି । ଯେଉଁମାନେ ପୁଲିସ ଚାକିରିରେ ପଶିଥିଲେ ସେମାନେ ଏବେ ଇନ୍ସପେକ୍ଟର, ଡିଏସପି ଭାବେ କାର୍ଯ୍ୟ କରୁଛନ୍ତି । ଯଦି ସେମାନଙ୍କ ନାଁ କହିବି ତା ହେଲେ ଗାଁରେ ରହିପାରିବିନି ବୋଲି କହିଛନ୍ତି ଶ୍ରୀ ମହାନ୍ତି । ମାତ୍ର ଏବେ ବିରଞ୍ଚି ଧରାପଡ଼ିବା ପରେ ନିଯୁକ୍ତି ଦୁର୍ନୀତି ଗୁମର ଖୋଲିବ ବୋଲି ସେ ଆଶାବାଦୀ ଅଛନ୍ତି । କେବଳ ବିରଞ୍ଚି କି ଡ୍ରାଇଭର ନୁହଁନ୍ତି, ଏହି ରାକେଟରେ ବହୁ ବଡ଼ ବଡ଼ ମୁଣ୍ଡ ସମ୍ପୃକ୍ତ ଅଛନ୍ତି । ବିରଞ୍ଚିଙ୍କ ଜରିଆରେ ଏ ସବୁ କାରବାର ଚାଲିଥିଲା । ଯଦି ନିରପେକ୍ଷ ତଦନ୍ତ କରାଯାଏ ତା ହେଲେ ପୂରା ନିଯୁକ୍ତି ଦୁର୍ନୀତି ରାକେଟର ଗୁମର ଖୋଲିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଏ ସମ୍ପର୍କରେ ଭିଜିଲାନ୍ସ ଏସପିଙ୍କ ପ୍ରତିକି୍ରୟା ମିଳିପାରି ନାହିଁ ।
Powered by Froala Editor