ଆସନ୍ତା ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ନେଇ ସରକାର ପ୍ରତିଶ୍ରୁତିବଦ୍ଧ
କଟକ: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ‘କେଜିରୁ ପିଜି’ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛି। ଏଥିସହ ଆସନ୍ତା ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ସୋସିଆଲ ମିଡିଆରେ ସମୟ ନଷ୍ଟ ନ କରି ଏକମନ-ଏକପ୍ରାଣ ହୋଇ ପାଠ ପଢ଼ିବାକୁ ପିଲାଙ୍କୁ ବୁଝେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲଠାରେ ଶନିବାର ଆୟୋଜିତ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ଛାତ୍ରୀଛାତ୍ରମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ର ଭାବରେ ତୁମମାନଙ୍କ ପ୍ରଥମ ଦାୟିତ୍ୱ ଭଲ ପାଠପଢ଼ି ଦକ୍ଷତା ହାସଲ କରିବ ଓ ନିଜର ତଥା ଦେଶର ବିକାଶରେ ଯୋଗଦାନ ରଖିବ। କ୍ୟାରିୟର ଗଢ଼ିବାରେ ବାଧା ସୃଷ୍ଟି କରୁଥିବା ଆଶଙ୍କାରୁ ଦୂରେଇ ରହିବାକୁ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଶିକ୍ଷାଦାନ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିବାରେ ନିଷ୍ଠାପର ସେବା ପ୍ରଦାନ କରିଥିବା ଗୁରୁଗଣ ଅଶୋକ କୁମାର ଶତପଥୀ, କୁମୁଦିନୀ ଜୀ, ଶକୁନ୍ତଳା ମହାନ୍ତି, ଦୈତାରୀ ସାହୁ ଏବଂ ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଛନ୍ତି। ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ, କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ସେକେଣ୍ଡାରି ବୋର୍ଡ ସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ପୁରାତନ ଛାତ୍ର ସଂସଦ ସଭାପତି ନିଶିକାନ୍ତ ମିଶ୍ର, ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର, ପୁରାତନ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।
Powered by Froala Editor