ଶିବପୁରୀରେ ଗୋଟିଏ ପରିବାରର ୪ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ
ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସଇସପୁରା ଅଞ୍ଚଳରେ ମାତ୍ର ୧୦ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଭାଇଙ୍କ ସମେତ ୪ ଜଣ ଶିଶୁଙ୍କ ସନ୍ଦିଗ୍ଧ ରୋଗରେ ମୃତ୍ୟୁ ଘଟିଛି। ପ୍ରଥମେ ୧୪ ବର୍ଷୀୟ ତାହିର ଖାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମାମୁଁଙ୍କ ୧୯ ବର୍ଷୀୟ ପୁଅ ଅୟାଜଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ପରିବାରର ଅନ୍ୟ ଦୁଇ ଶିଶୁ ତାରୁଫ୍ (୧୧) ଓ ତାସିଫ୍ (୯) ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।
ପ୍ରାଥମିକ ପରୀକ୍ଷାରୁ ମୃତ ଶିଶୁମାନଙ୍କ ମଧ୍ୟରୁ କେହି ହେଲେ ମ୍ୟାଲେରିଆ, ଡେଙ୍ଗୁ କିମ୍ବା କୋଭିଡରେ ଆକ୍ରାନ୍ତ ନଥିଲେ। ଏହା ସତ୍ତ୍ବେ ବି ହଠାତ ଶିଶୁମାନଙ୍କ ମୃତ୍ୟୁ କାହିଁକି ହେଲା ଏବେ ବି ତାହା ରହସ୍ୟ ହୋଇ ରହିଛି। ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ଭୋପାଳସ୍ଥିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ପଠାଯାଇଛି।
ସମସ୍ତଙ୍କଠାରେ ପ୍ରବଳ ଜ୍ୱର, ପେଟରେ ଅସହ୍ୟ ଯନ୍ତ୍ରଣା, ବାନ୍ତି-ଝାଡ଼ା ସହ ଧୀରେ ଧୀରେ ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇଯିବା ଭଳି ଲକ୍ଷଣ ଦେଖା ଦେଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରୀଡ଼ିତ ପରିବାରକୁ ନଜରରେ ରଖିଛି। ଅଞ୍ଚଳରେ ସର୍ଭେ ଓ ପରୀକ୍ଷା ଆରମ୍ଭ କରାଯାଇଛି। ଡେଙ୍ଗୁ ଲାର୍ଭା ସର୍ଭେରେ ମଧ୍ୟ ଏପର୍ଯ୍ୟନ୍ତ ଲାର୍ଭା ମିଳିନାହିଁ। ଅନ୍ୟ ଲୋକଙ୍କ ମଧ୍ୟରେ ଏଭଳି ଲକ୍ଷଣ ନଥିବାରୁ ବ୍ୟାପକ ସଂକ୍ରମଣର ଆଶଙ୍କା କମ୍ ଥିବା ଅଧିକାରୀମାନେ କହିଛନ୍ତି।
Powered by Froala Editor