ଆଜି ପୂରା ରାଜ୍ୟରେ ହେବ ଘଡ଼ଘଡ଼ି ସାଙ୍ଗକୁ ବର୍ଷା
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି ସେହି ଅଞ୍ଚଳରେ ରହିଛି । ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ପଶ୍ଚିମ ଦିଗକୁ ଢଳି ରହିଛି । ଏହା ମଙ୍ଗଳବାର ବେଳକୁ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଆଉ ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ପୂରା ରାଜ୍ୟରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବାକୁ ଥିବାବେଳେ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ଏହି ଜିଲାଗୁଡିରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିବ। ଏହାବାଦ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିବ ବୋଲି ସୂଚନା ଦିଆଯାଇଛି। ବୁଧବାର ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଏହିଦିନ ପାଇଁ ବରଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳ ଅନ୍ୟ ଜିଲାଗୁଡିକରେ ଘଡ଼ଘଡ଼ି ସାଙ୍ଗକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor