ରାକ୍ଷୀ ପୂର୍ଣ୍ଣିମାରେ ବଢିବ ମିଠା ଦର
ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମହଙ୍ଗା ହେବ ମିଠା ! ଛେନାର ଅଭାବ, ଚିନି ଦର ବୃଦ୍ଧି ପାଇଁ ବଢ଼ିବ ଦର । ରସଗୋଲାଠୁ ନେଇ ଛେନାପୋଡ଼, ଛେନା ଝିଲ୍ଲୀଠୁ ନେଇ ଜିଲାପି, ସବୁର ଦର ୫ରୁ ୧୦ ଟଙ୍କା ଲେଖାଏଁ ବଢ଼ିବ । ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ମିଠା ବ୍ୟବସାୟୀ । ଗତ ମାସେ ହେବ ଚିନିଦର ବଢିଚାଲିଛି । ରବିବାର ସୁଦ୍ଧା ଚିନି କିଲୋ ରହିଛି ୭୦ ଟଙ୍କା । ଖାଲି ଚିନି ନୁହେଁ, ଛେନା ଦର ମଧ୍ୟ ବଢ଼ିଛି । ଛେନା କିଲୋ ପୂର୍ବରୁ ୨୧୫ ଥିବା ବେଳେ ଏବେ ୨୩୫ ଟଙ୍କା ହୋଇଛି । ସେହିପରି ଜାଳେଣି କାଠ କୁଇଣ୍ଟାଲ ପିଛା ୧୫ଶହ ଟଙ୍କା ହେଲାଣି । ଏଭଳି ସ୍ଥିତିରେ ଛେନାଜାତୀୟ ମିଠା ତଥା ଅନ୍ୟ ମିଠା ଦର ବଢ଼ିବ ବୋଲି ପାହାଳ ମିଠା ବ୍ୟବସାୟୀ ସଂଘ ସଭାପତି ଅଶୋକ ଲେଙ୍କା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସହ କଟକ, ବ୍ରହ୍ମପୁରରେ ମିଠା ଦୋକାନରେ ଚଢଉ କରାଯିବା ପରେ ଅପମିଶ୍ରିତ ଛେନା ଆସିବା ବନ୍ଦ ହୋଇଯାଇଛି । ଫଳରେ ଏକାଧିକ ମିଠା ଦୋକାନରେ ଛେନାର ଅଭାବ ଦେଖିବାକୁ ମିଳିଛି । ବ୍ୟବସ୍ୟାୟୀଙ୍କ କହିବା କଥା ଛେନା ପନିର ଚଢଉ ପରେ ଆଉ ଛେନା ବ୍ୟବସାୟୀ ଭୁବନେଶ୍ୱରକୁ ଆସୁନାହାନ୍ତି । ଯାହାର ପ୍ରଭାବ ମିଠା ଉତ୍ପାଦନ ଉପରେ ପଡ଼ିଛି । ବର୍ତ୍ତମାନ ବଜାରରେ ଛେନାପୋଡ଼ କିଲୋ ୩୫୦, ଛେନାଗଜା ୨୫୦, ଛେନା ଝିଲ୍ଲୀ ୧୫ଟାକୁ ୨୫୦, ରସଗୋଲା କିଲୋ ୨୫୦ ଓ ଗୋଟା ୭ରୁ ୧୦ଟଙ୍କା ରହିଛି । ହେଲେ ଯେଉଁଭଳି ଚିନି, ଛେନା ଦର ବଢ଼ୁଛି, ସେଥିରେ ମିଠା ତିଆରି କଲେ କ୍ଷତି ସହୁଛନ୍ତି ବୋଲି ବେପାରୀ କହିଛନ୍ତି ।
Powered by Froala Editor