ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ
ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଅଭିଯୋଗରେ ଲୋକସଭା ତଦନ୍ତ କମିଟି ତାଙ୍କୁ ଦୋଷୀ ବୋଲି ଦର୍ଶାଇଛି। ନୂଆଦିଲ୍ଲୀର ୩୦, ତୋଗଲକ କ୍ରେସେଣ୍ଟସ୍ଥିତ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନ ପରିସରରେ ଥିବା ଷ୍ଟୋରରୁମ୍ରୁ ବହୁ ପରିମାଣର ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। ଏହି ଟଙ୍କାର ଉପସ୍ଥିତି, ଉତ୍ସ କିମ୍ବା ମାଲିକାନା ସମ୍ପର୍କରେ ଜଷ୍ଟିସ୍ ବର୍ମା ସନ୍ତୋଷଜନକ ଉତ୍ତର ଦେଇପାରିନଥିବା କମିଟି ରିପୋର୍ଟରେ ଉଲ୍ଲେଖ କରିଛି। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅପସାରଣ କରାଯିବା ପ୍ରକ୍ରିୟାର ଏହା ଏକ ଅଂଶବିଶେଷ ବୋଲି କୁହାଯାଉଛି।
ଏହି ବିବାଦ ପରେ ଜଷ୍ଟିସ୍ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି। ତେବେ ତାଙ୍କ ଇସ୍ତଫାକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ ବିଜ୍ଞପ୍ତି ଜାରି କରାଯାଇନାହିଁ।
ଗତବର୍ଷ ମାର୍ଚ୍ଚ ୧୪ ତାରିଖ ରାତିରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ କର୍ମଚାରୀମାନେ ଏକ ଷ୍ଟୋରରୁମ୍ରେ ବହୁ ପରିମାଣର ଅଧାପୋଡା ନଗଦ ଟଙ୍କା ଦେଖିଥିବା ଅଭିଯୋଗ ହୋଇଥିଲା।
ତଦନ୍ତ କମିଟି ଏହା ମଧ୍ୟ ଦର୍ଶାଇଛି ଯେ, ଆଇନସମ୍ମତ ଭାବେ ଷ୍ଟୋରରୁମ୍କୁ ସିଲ୍ କରି ଯାଞ୍ଚ କରାଯିବା ପୂର୍ବରୁ ସେଠାକାର ପ୍ରମାଣ ସମ୍ପର୍କିତ ସ୍ଥିତିରେ ପରିବର୍ତ୍ତନ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ନଗଦ ଟଙ୍କା ଆଉ ମିଳିନଥିବା ଘଟଣାର ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିବା କମିଟି କହିଛି।
Powered by Froala Editor