ମୁମ୍ବାଇର କୁର୍ଲାରେ ଭୂସ୍ଖଳନ
ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର କୁର୍ଲାରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। କୁର୍ଲାର ଚିରାଗ ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି। ମାଟି ତଳେ ୬ରୁ ୮ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ କୁର୍ଲାର ଗୌସିଆ ଚାଲରେ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଅନୁଯାୟୀ, ଭୋର ପ୍ରାୟ ୩ଟା ୪୮ ସମୟରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ବିଏମସି ଅଗ୍ନିଶମ ବାହିନୀ, ପୁଲିସ, ବିଦ୍ୟୁତ ବିତରଣ କମ୍ପାନି, ୧୦୮ ଆମ୍ବୁଲାନ୍ସ ଏବଂ ବିଏମସି ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଆବଶ୍ୟକୀୟ ଦଳ ସହିତ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏନଡିଆରଏଫ ଏବଂ ପ୍ରଶାସନ ପୂର୍ବରୁ ଏପରି ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କୁ ସତର୍କ କରୁଛନ୍ତି। ବିଏମସି ମେୟର ଋତୁ ତାୱଡେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
Powered by Froala Editor