ସସ୍ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି
ଦେଶର ପ୍ରସିଦ୍ଧ କମ୍ପାନୀ Blinkit ବିରୋଧରେ ମହାରାଷ୍ଟ୍ର ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଚଢ଼ାଉ କରାଯାଇ ନିୟମ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। FDA ପକ୍ଷରୁ Blink Commerce Pvt. Ltd.ର ଖାଦ୍ୟ ଲାଇସେନ୍ସକୁ ସସ୍ପେଣ୍ଡ କରାଯାଇଛି। ଅସ୍ବଚ୍ଛ ପରିବେଶ ଏବଂ ଖାଦ୍ୟ ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ମାଲାଡ (ପଶ୍ଚିମ) ଅଞ୍ଚଳର ରାମଚନ୍ଦ୍ର ଲେନସ୍ଥିତ ସର୍ବୋଦୟ ଭୁବନର ପ୍ରଥମ ମହଲାରେ ଥିବା Blink Commerce Private Limited ପ୍ରତିଷ୍ଠାନରେ ୭ ଅଗଷ୍ଟ ୨୦୨୬ରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ପ୍ରତିଷ୍ଠାନରେ ଅତ୍ୟନ୍ତ ଅସ୍ବଚ୍ଛ ପରିସ୍ଥିତି, ବହୁ ସଂଖ୍ୟାରେ କକ୍ରୋଚର ଉପଦ୍ରବ, ଖାଦ୍ୟ ପଦାର୍ଥର ଅନୁଚିତ ସଂରକ୍ଷଣ, ଚଟାଣ ଉପରେ ଖାଦ୍ୟ ପଦାର୍ଥ ରଖାଯିବା, କୋଲ୍ଡ ଷ୍ଟୋରେଜରେ ଅପର୍ଯ୍ୟାପ୍ତ ସଫେଇ, ଏକ୍ସପାୟରୀ ହୋଇଥିବା ଏବଂ ଖରାପ ପ୍ୟାକେଜ ଖାଦ୍ୟ ପଦାର୍ଥର ଷ୍ଟକ ଏବଂ FIFO/FEFO ପ୍ରଣାଳୀ ପାଳନ ନକରିବା ଭଳି ଗୁରୁତର ଅନିୟମିତତା ମିଳିଥିଲା।
ଏହି ଅନିୟମିତତାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୨(୩) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ଖାଦ୍ୟ ବ୍ୟବସାୟର ଲାଇସେନ୍ସ ଓ ପଞ୍ଜୀକରଣ) ନିୟମ, ୨୦୧୧ର ସମ୍ପୃକ୍ତ ଧାରା ଅନୁଯାୟୀ Blink Commerce Private Limitedର ଖାଦ୍ୟ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ତୁରନ୍ତ ପ୍ରଭାବରୁ ସସ୍ପେଣ୍ଡ କରାଯାଇଛି।
ଏହା ସହ ଅଳିଆ-ଆବର୍ଜନା ପରିଚାଳନାରେ ତ୍ରୁଟି, ସଫେଇ ଓ ରକ୍ଷଣାବେକ୍ଷଣର ଅଭାବ, ଖାଦ୍ୟ ପରିଚାଳନା କରୁଥିବା କର୍ମଚାରୀଙ୍କ ମେଡିକାଲ ଯାଞ୍ଚ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ନଥିବା ଏବଂ ଆବଶ୍ୟକ ବ୍ୟକ୍ତିଗତ ସ୍ବଚ୍ଛତା ଓ ସୁରକ୍ଷା ଉପକରଣର ଅଭାବ ମଧ୍ୟ ଦେଖିବାକୁ ମିଳିଥିଲା। ବିଭାଗ ପକ୍ଷରୁ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ଖାଦ୍ୟ ପଦାର୍ଥର ସୁରକ୍ଷା ଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନିଆଯାଉଛି।
Powered by Froala Editor