ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର
ଭାରତର ସମ୍ମାନିତ ପଦାର୍ଥବିଜ୍ଞାନୀ ଦୀପକ ଧରଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟାଲ୍ ଫିଜିକ୍ସ (ଆଇସିଟିପି) ଦ୍ୱାରା ୨୦୨୬ ପାଇଁ ଡିରାକ୍ ମେଡାଲ ପ୍ରଦାନ କରାଯାଇଛି।
ପ୍ରଫେସର ଦୀପକ ଧର୍ ୧୯୫୧ ମସିହାରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମଗ୍ରହଣ କରିଥିଲେ। ଧର୍ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ପରେ ଆଇଆଇଟି କାନପୁରରୁ ଏମ୍ଏସ୍ସି କରିଥିଲେ। ପରେ ସେ ଆମେରିକାର କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲଟେକ୍) ଯାଇଥିଲେ। ସେ ସେଠାରେ ରିଚାର୍ଡ ଫାଇନମ୍ୟାନ୍ ଫେଲୋସିପ୍ ପାଇଥିଲେ।
ଧର୍ ୧୯୭୮ ମସିହାରେ ତାଙ୍କର ପିଏଚ୍ଡି ସମାପ୍ତ କରିଥିଲେ। ଡକ୍ଟରେଟ୍ ସମାପ୍ତ କରିବା ପରେ, ଧର୍ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚରେ ଯୋଗ ଦେଇଥିଲେ। ସେ ପ୍ରାୟ ୮ ବର୍ଷ ଧରି ଆଇଆଇଏସ୍ଇଆର୍ ପୁଣେରେ ପ୍ରଫେସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୨୨ ମସିହାରେ ପ୍ରଫେସର ଧର୍ ବୋଲ୍ଟଜମ୍ୟାନ୍ ପଦକ ପାଇବାରେ ପ୍ରଥମ ଭାରତୀୟ ହୋଇଥିଲେ । ୨୦୨୩ ମସିହାରେ ପ୍ରଫେସର ଧର୍ଙ୍କୁ ଭାରତ ସରକାର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଥିଲେ।
ଡିରାକ୍ ମେଡାଲକୁ ପଦାର୍ଥ ବିଜ୍ଞାନ କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ମଧ୍ୟରେ ବିବେଚିତ କରାଯାଏ। ୧୯୮୫ ମସିହାରେ ପ୍ରତିଷ୍ଠିତ ଏହି ପୁରସ୍କାର ଦଶନ୍ଧି ଧରି ଥିଓରିଟିକାଲ ଫିଜିକ୍ସରେ ଷ୍ଟିଫେନ ହକିଙ୍ଗସ୍ ସମେତ କିଛି ବଡ଼ ନାମ ସହିତ ଜଡିତ ହୋଇଆସୁଛି। ବିଶିଷ୍ଟ ବୈଜ୍ଞାନିକ ପଲ୍ ଡିରାକ୍ଙ୍କ ସମ୍ମାନରେ ପ୍ରତିବର୍ଷ ଅଗଷ୍ଟ ୮ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଉଛି।
Powered by Froala Editor