ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ
ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଦରଭଙ୍ଗାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ୫୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚୋରି ସାମଗ୍ରୀ ଜବତ କରାଯାଇଛି।
‘ବିଗ୍ ବସ୍’ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ସାନ୍ତାକ୍ରଜ ଘରେ ରୁହନ୍ତି। ହେଲେ ଜୁନ୍ ୨୦ରୁ ଜୁଲାଇ ୨୭ ତାରିଖ ମଧ୍ୟରେ ସେ ନିଜ ଘରେ ନଥିଲେ। ଶୁଟିଂ ପାଇଁ ସହର ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ବିହାରର ଚନ୍ଦନ କମଲେଶ ମୁଖିଆ ଅଭିନେତ୍ରୀଙ୍କ ଘରେ କଳାକନା ବୁଲାଇଥିଲା। ଅଭିଯୁକ୍ତ ତାଙ୍କ ଫ୍ଲାଟ୍ରୁ ନଗଦ ଟଙ୍କା, ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍ ଚୋରି କରିନେଇଥିଲା।
ଘଟଣାର ତଦନ୍ତ ବେଳେ ପୋଲିସ ବୈଷୟିକ ତଥ୍ୟ ଏବଂ ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇଥିଲା। ଅଭିଯୁକ୍ତ ବିହାରରେ ଥିବା ଜଣାପଡ଼ିବା ପରେ ମୁମ୍ବାଇ ପୋଲିସର ଏକ ଟିମ୍ ଦରଭଙ୍ଗା ଯାଇ ତାଙ୍କୁ ଗିରଫ କରିଥିଲା। ତେବେ ଏହି ଚୋରି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଚୋରି ଟଙ୍କାରେ ଭଉଣୀ ପାଇଁ ଗୋଟିଏ ଜମି କିଣିବାକୁ ଯୋଜନା କରୁଥିବା ଅଭିଯୁକ୍ତ ସ୍ୱୀକାର କରିଛି।
Powered by Froala Editor