ଲୋକସଭାରେ ଅନୁମୋଦିତ ହେଲା ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’
ନୂଆଦିଲ୍ଲୀ: ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ ଅନୁମୋଦିତ । ଡିଜିଟାଲ ରେକର୍ଡକୁ ମିଳିଲା କୋର୍ଟରେ ଆଇନଗତ ମାନ୍ୟତା । ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ବଡ଼ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ବୁଧବାର ଦିନ ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ କୁ ସରକାରୀ ଭାବେ ଅନୁମୋଦନ ମିଳିଛି । ଏହି ନୂତନ ଆଇନ ପ୍ରଣୟନ ହେବା ପରେ ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମସ୍ତ ଡିଜିଟାଲ ଏବଂ ଭର୍ଚ୍ଚୁଆଲ ରେକର୍ଡକୁ ଅଦାଲତରେ ସାକ୍ଷ୍ୟ ବା ପ୍ରମାଣ ଭାବେ ଆନୁଷ୍ଠାନିକ ଭାବେ ବିଚାର କରାଯିବ ।
ବ୍ରିଟିଶ ଅମଳରୁ ଚାଲିଆସୁଥିବା ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୮୧’ କୁ ଏହି ନୂତନ ବିଲ୍ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବ । ସେତେବେଳେ ବ୍ୟାଙ୍କିଙ୍ଗ୍ କାରବାର କେବଳ କାଗଜର ବହିଖାତା ଏବଂ ଭୌତିକ ଦସ୍ତାବିଜ ଜରିଆରେ ହେଉଥିଲା । ମାତ୍ର ସମୟର ପରିବର୍ତ୍ତନ ସାଙ୍ଗକୁ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ହୋଇଯାଇଛି । ବର୍ତ୍ତମାନର ଦ୍ରୁତ ଗତିଶୀଳ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ କୋର୍ ବ୍ୟାଙ୍କିଙ୍ଗ୍, ମୋବାଇଲ ଆପ୍, ୟୁପିଆଇ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ପୁରୁଣା ଆଇନରେ ଡିଜିଟାଲ ଡାଟାକୁ ଆଇନଗତ ପ୍ରମାଣ ଭାବେ ଉପସ୍ଥାପନ କରିବାରେ ବହୁ ଜଟିଳତା ଓ ସମସ୍ୟା ଦେଖାଦେଉଥିଲା ।
ଏହି ନୂତନ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଠୋସ୍ ଆଇନଗତ ସୁରକ୍ଷା ଏବଂ ମାନ୍ୟତା ପ୍ରଦାନ କରିବା ।
ଡିଜିଟାଲ୍ ଯୁଗର ଅଗ୍ରଗତି ସାଙ୍ଗକୁ ସାଇବର ଅପରାଧ, ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇ ଏବଂ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପୂର୍ବରୁ ଏହିସବୁ ମାମଲାରେ ଡିଜିଟାଲ୍ ପ୍ରମାଣ ସଂଗ୍ରହ ଓ ଅଦାଲତରେ ଉପସ୍ଥାପନ କରିବାରେ ବହୁ ଅସୁବିଧା ହେଉଥିଲା । ବର୍ତ୍ତମାନ ଏହି ଆଇନ ପ୍ରଣୟନ ହେବା ଦ୍ୱାରା ତଦନ୍ତକାରୀ ଏଜେନ୍ସି ଗୁଡ଼ିକୁ ସାଇବର ଅପରାଧ ଓ ଅର୍ଥନୈତିକ ଠକେଇ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବଡ଼ ସହଯୋଗ ମିଳିବ । ଏହାଦ୍ୱାରା ଅଦାଲତରେ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଉଭୟ କୋର୍ଟ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକର ମୂଲ୍ୟବାନ ସମୟ ବହୁ ପରିମାଣରେ ବଞ୍ଚିପାରିବ ।
Powered by Froala Editor