ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ, ହ୍ରାସ ପାଇଛି ବର୍ଷା
ଭୁବନେଶ୍ବର: ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ । ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ଦିଆଯାଇ ନାହିଁ । ଆସନ୍ତାକାଲି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ଅଞ୍ଚଳରେ ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବର୍ଷା ସହିତ ବିଜୁଳି ଓ ଘଡଘଡି ହେବା ସହିତ ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା, ଡଃ ମନୋରମା ମହାନ୍ତି କହିଛନ୍ତି ।
Powered by Froala Editor