ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ
ମୁମ୍ବାଇରେ ବର୍ଷାର ପରିମାଣ ସାମାନ୍ୟ କମିଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସହର ପାଇଁ ''ଅରେଞ୍ଜ ଆଲର୍ଟ'' ଜାରି କରାଯିବା ସହ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଗକୁ ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷାଜନିତ ଘଟଣାରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରୀଶ ମହାଜନ ସୋମବାର କହିଛନ୍ତି। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଲଗାଣ ବର୍ଷା ଯୋଗୁ ସୋମବାର ଭୂସ୍ଖଳନ ଘଟିଥିବାବେଳେ କର୍ତ୍ତୃପକ୍ଷ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ଓ୍ବେକୁ ବନ୍ଦ କରିଦେଇଛନ୍ତି। ସେହିପରି କେତେକ ଭାଗରେ ଟ୍ରେନ୍ ଚଳାଚଳକୁ ସ୍ଥଗିତ ରଖାଯାଇଛି।
ପୁଣେର ମାଭଲ ତହସିଲ ଅନ୍ତର୍ଗତ ପାଟନ ଗ୍ରାମରେ ଭୂସ୍ଖଳନ ଘଟି ଗୋଟିଏ ଘର ପୋତିହୋଇଯିବା ସହ ୨ ଜଣଙ୍କ ମୃତ୍ୟୁ ହୋଇଛି। ପୁଣେର ଖେଦ ତହସିଲ୍ ଅଞ୍ଚଳରେ ଜଳାର୍ଣ୍ଣବ ରାସ୍ତାରେ ଭାସିଯାଇ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି।
କ୍ରମାଗତ ବର୍ଷା ଯୋଗୁଁ ମୁମ୍ବାଇ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଗଛ ଉପୁଡ଼ି ପଡ଼ିବା ଏବଂ କାନ୍ଥ ଓ ବିଜ୍ଞାପନ ବୋର୍ଡ ଭାଙ୍ଗିବା ଭଳି ଏକାଧିକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ଅରେଞ୍ଜ ଆଲର୍ଟ ପ୍ରତିକୂଳ ପାଣିପାଗର ସୂଚନା ଦେଉଛି, ଯାହାଦ୍ୱାରା ପରିବହନ ସେବା ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହେବାର ଆଶଙ୍କା ରହିଛି।
Powered by Froala Editor