ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ
କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଡମ ରିପୋର୍ଟ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ନିଜ ଥାନା ଭିତରେ ଥିବା ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ । ବିୟୁଟି ମହାନ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏହାର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି ।
ଥାନା ପରିସରରେ ଥିବା ରେଷ୍ଟରୁମରୁ ତାଙ୍କର ମୃତଦେହ ମିଳିଥିବା ବେଳେ କିଭଳି ସ୍ଥିତିରେ ତାଙ୍କର ଶ୍ବାସରୁଦ୍ଧ ହେଲା ସେ ନେଇ ପ୍ରଶ୍ନ ଉଠିଛି। ଚାଉଳିଆଗଞ୍ଜ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି।
ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ଥାନାର କର୍ମଚାରୀ, କଟକ ପୁଲିସରେ କାର୍ଯ୍ୟରତ ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ବିୟୁଟିଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ଜଣେ ଏଡିସିପି, ଜଣେ ଏସିପି ଓ ଦୁଇ ଜଣ ବରିଷ୍ଠ ଇନ୍ସପେକ୍ଟର ତଦନ୍ତ କରୁଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ସେ ନିଜେ ତଦାରଖ କରୁଥିବା ଡିସିପି କହିଛନ୍ତି ।
Powered by Froala Editor