ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
କଲକାତା: କଲକାତା ତାରାତାଲା ଅଞ୍ଚଳରେ ବଡ ଅଘଟଣ।ବୁଧବାର ଏକ ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଏନ୍ଡିଆରଏଫ, ଏସ୍ଡିଆରଏଫ, ପୁଲିସ୍ ଓ ଅଗ୍ନିଶମ ବାହିନୀ ସହିତ ସେନାର ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଉଦ୍ଧାର ହୋଇଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ମହଲା ଛାତ ନିର୍ମାଣ କାମ ଚାଲୁଥିବା ବେଳେ ହଠାତ୍ ଲୁହା ରେଲିଂ ଗଳିପଡିଥିଲା । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ । ନିର୍ମାଣାଧୀନ ତିନି ମହଲା ଗୋଦାମ ଘରେ ପ୍ରକୃତରେ କେତେ ଜଣ ଶ୍ରମିକ କାମ କରୁଥିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ଏ ବିଷୟରେ ଜାଣିବା ପାଇଁ ପ୍ରୟାସ ଚାଲିଛି। କାମ ଚାଲିଥିବା ବେଳେ ବଡ଼ ବଡ ଲୁହା ବିମ୍ ଓ କଂକ୍ରିଟ୍ ସ୍ଲାବ୍ଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। ଫଳରେ ଶ୍ରମିକମାନେ ତା’ ତଳେ ଚାପି ହୋଇଯାଇଥିଲେ।
Powered by Froala Editor