କୁବେର ପିଏସଙ୍କ ସମ୍ପର୍କରେ ଏଭଳି କହିଲେ ଓଏସଏସସି ଅଧ୍ୟକ୍ଷ
ଭୁବନେଶ୍ୱର:ଓଏସଏସସି ଅଧ୍ୟକ୍ଷଙ୍କ ପିଏସଙ୍କ ୩.୭୯ କୋଟି ଟଙ୍କାର ସମ୍ପତ୍ତି ଠାବ ଘଟଣାରେ ଆଜି ଅଧ୍ୟକ୍ଷ ନିର୍ମଳ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଓଏସଏସସିର ସମସ୍ତ ପରୀକ୍ଷା ସ୍ୱଚ୍ଛତାର ସହ କରାଯାଉଛି । ଏବେ କମ୍ପୁ୍ୟଟରରେ ଅଧିକ, ଲୋକଙ୍କ ଦ୍ୱାରା କମ କାମ କରାଯାଉଛି । କୌଣସି ପରୀକ୍ଷାରେ ପିଏସଙ୍କ ଆଦୌ ସମ୍ପୃକ୍ତି ନଥାଏ । ଯଦି ତାଙ୍କ ଘରୁ କାହାର ଆଡମିଟ କାର୍ଡ ମିଳିଥିବ ତେବେ ତଦନ୍ତ ହେବ । ଆଇନ ତା ବାଟରେ ଯିବ,ନିଶ୍ଚିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଏ ପର୍ୟ୍ୟନ୍ତ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍ କରାଯାଇଥିଲା। ରେଡ୍ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା। ସେହିଭଳି ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ ଆବେଦନ ପତ୍ର ଓ ଆଡ୍ମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ତା’ ସହିତ ୧୪ଟି ପ୍ଲଟ୍ ଓ ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘର ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ନଗଦ ୨୫ ଲକ୍ଷ ଟଙ୍କା ମଧ୍ୟରୁ ବିରଞ୍ଚିଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ଜବତ କରାଯାଇଥିଲା। ବିରଞ୍ଚି ଦୁଇ ଥର ବିଦେଶ ଗସ୍ତରେ ଯାଇଥିବାର ଡକ୍ୟୁମେଣ୍ଟ ବି ଜବତ କରାଯାଇଥିଲା।
Powered by Froala Editor