ମହତ୍ୱପୂର୍ଣ୍ଣ ପଦକ୍ଷେପ : ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡ଼ିକ ପାଇଁ ୭୫୫ଟି ନୂଆ ପଦବି ମଞ୍ଜୁର
ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ମୋଟ ୭୫୫ଟି ନୂତନ ପଦବି ମଞ୍ଜୁର କରାଯାଇଛି।
ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍ବିବିଏସ୍), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍ଓ) ଏବଂ ୮୪ଟି ବ୍ଲଡ୍ ବ୍ୟାଙ୍କ ଅଫିସର (ବିବିଓ) ପଦବୀ ରହିଛି। ଏହି ପଦବୀଗୁଡ଼ିକ ପୂରଣ ହେବା ପରେ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷକ ଏବଂ ଚିକିତ୍ସକଙ୍କ ଉପଲବ୍ଧତା ବୃଦ୍ଧି ପାଇବ, ଯାହା ଚିକିତ୍ସା ଶିକ୍ଷା ଓ ରୋଗୀସେବା ଉଭୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ।
ବିଗତ ଦିନରେ ତିନଟି ନୂତନ ମେଡିକାଲ କଲେଜରେ ଦୁଇ ଶହ ପଚାଶ ଏମ୍ବିବିଏସ୍ ସିଟ୍ରେ ପାଠ ପଢା ବଢ଼ିଛି। ସେହିପରି ସମ୍ପ୍ରତି ପିଜି ସିଟ ବଢି ୬୮ କୁ ପହଞ୍ଚିଛି। ଫଳରେ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବି ମଞ୍ଜୁର ଆବଶ୍ୟକ ଥିଲା।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।
Powered by Froala Editor