ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣର ଧମକ
ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତାର ୮୦ତମ ବର୍ଷ ପୂର୍ତ୍ତି। ଏଥିପାଇଁ ସବୁ ଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି। ହେଲେ ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣର ଧମକ। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ଓ ରାଜଧାନୀର ଅନ୍ୟ କିଛି ପ୍ରମୁଖ ସ୍ଥାନକୁ ଏପରି ବୋମା ଧମକ ମିଳିଛି। ‘ବ୍ଲାଷ୍ଟ ଦିଲ୍ଲୀ ହାଇକୋର୍ଟ @୨.୧୧ ପିଏମ’ ଶୀର୍ଷକ ଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ଇ-ମେଲ ଯୋଗେ ଆସିଛି। ଖଲିସ୍ତାନ ନାଁରେ ଧମକପୂର୍ଣ୍ଣ ଇ-ମେଲ ଆସିଥିବା ବେଳେ ବିସ୍ଫୋରଣର ବିସ୍ତୃତ ଯୋଜନା ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି। ଧମକପୂର୍ଣ୍ଣ ଇ-ମେଲରେ ଦାବି କରାଯାଇଛି ଯେ ଦିଲ୍ଲୀ ନିଶ୍ଚିତ ଭାବେ ଖଲିସ୍ତାନରେ ପରିଣତ ହେବ। ଇ-ମେଲରେ କୁହାଯାଇଛି ଯେ ଶନିବାର ମଧ୍ୟାହ୍ନ ୨.୧୧ରେ ଦିଲ୍ଲୀ ହାଇକୋର୍ଟରେ ଗୋଟିଏ ବୋମା ବିସ୍ଫୋରଣ କରାଯିବ। ଏହାର ଘଣ୍ଟାଏ ପରେ ଜିଲ୍ଲା କୋର୍ଟ ଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହେବ। ଦିଲ୍ଲୀ କୋର୍ଟରେ ଚାଲିଥିବା ଏକାଧିକ ମାମଲାର ଶୁଣାଣିକୁ ନେଇ ବିସ୍ଫୋରଣ ଧମକ ଦିଆଯାଇଛି। ଏଥିରେ କୁହାଯାଇଛି ଯେ “ଦିଲ୍ଲୀ କୋର୍ଟ ଗୁଡ଼ିକ କେବଳ ଶିଖମାନଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରାଯାଉଛି।”
ହାଇକୋର୍ଟ ବ୍ୟତୀତ ଜାମନଗର ହାଉସ, ଝାନ୍ଦେୱାଲାନ ବିଲଡିଂ, ସାକେତ ଅଫିସ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସ, ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ ୩ ଓ ଦିଲ୍ଲୀ କ୍ୟାଣ୍ଟରେ ଥିବା ସବ ଡିଭିଜନାଲ ମାଜିଷ୍ଟ୍ରେଟ ଅଫିସରେ ବିସ୍ଫୋରଣ ହେବ ବୋଲି ଧମକ ମିଳିଛି। ଦିଲ୍ଲୀ ମେଟ୍ରୋ ଓ ଅମ୍ବାଲା ଯାଉଥିବା ଟ୍ରେନଗୁଡ଼ିକୁ ମଧ୍ୟ ଉଡ଼ାଇ ଦିଆଯିବାକୁ ଇ-ମେଲ ଯୋଗେ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଦିଲ୍ଲୀ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ବୋମା ନିଷ୍କ୍ରିୟ ଟିମ ସହ ଅଗ୍ନିଶମ ବାହିନୀକୁ ଧମକ ମିଳିଥିବା ସ୍ଥାନଗୁଡ଼ିକୁ ପଠା ଯାଇଛି। ସବୁ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲେ ହେଁ ଏଯାଏ କୌଣସି ସନ୍ଦିଗ୍ଧ ଗତିବିଧିର ସୂଚନା ମିଳିନାହିଁ।
Powered by Froala Editor