ବର୍ଷକୁ ୧୦ ଦିନ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବ୍ୟାଗ୍ ମନା
ଭୁବନେଶ୍ୱର: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲରେ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନଇପି-୨୦୨୦ ଅନୁଯାୟୀ, ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ କରାଯାଇଛି। ସମସ୍ତ ଶ୍ରେଣୀର ପିଲାଙ୍କ ବିଷୟବସ୍ତୁ ଉପରୁ ଭାର ହ୍ରାସ ଯୋଜନା ରହିଥିବାବେଳେ ଏବେ ଗୋଟିଏ ଶିକ୍ଷାବର୍ଷରେ ୨୩୦ ଦିନ ସ୍କୁଲ ଖୋଲା ରହିବ। ୨୦ ଦିନ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ହେବ। ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଶିକ୍ଷାବର୍ଷରେ ୧୯୦ ଦିନ ଶିକ୍ଷାଦାନ ସହ ପ୍ରତିଦିନ ୭ଟି ପିରିୟଡ ପାଠପଢ଼ା ହେବ। ଶିଶୁ ବାଟିକା ପିଲାଙ୍କ ପାଇଁ ପ୍ରତି ଶନିବାର ବସ୍ତାନି ବିହୀନ ଦିବସ ପାଳନ କରାଯିବ। ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ରଙ୍କ ପାଇଁ ବର୍ଷକୁ ୧୦ ଦିନ ସ୍କୁଲ ବ୍ୟାଗ୍ ମନା। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ ପାଠପଢା ହେବ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ୪୯୮ ସମୟ ସାରଣୀ ପ୍ରସ୍ତୁତ ହେବ। ଏନେଇ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନିର୍ଦ୍ଦେଶନାମା ପାଳନ ପାଇଁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ନିୟମ କଡ଼ାକଡ଼ି ପାଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।
ବିଭାଗର ସୂଚନା ଅନୁଯାୟୀ, ମଧ୍ୟସ୍ତର ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ତାନି ବିହୀନ ଦିବସ ପାଳନ କରାଯିବ । ବୃତ୍ତିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ଼ରୁ ଗୋଟିଏ ପିରିୟଡ଼ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହାକୁ ପାଳନ କରାଯିବ । ବିଭାଗ କହିଛି, ମଧ୍ୟସ୍ତର ଶିକ୍ଷାର୍ଥୀଙ୍କ ପାଇଁ ବିଷୟଭିତ୍ତିକ ଗୁରୁତ୍ୱ ଓ ରାଜ୍ୟର ସାଂପ୍ରତିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇଛି । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ୭ଟି ଲେଖାଏଁ ପରିୟଡ୍ ରହିବ । ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍ କ୍ଲାସ ହେବ । ଯାହା ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତି, ବିଜ୍ଞାନ ପରୀକ୍ଷଣ, ବିବରଣୀ ପ୍ରସ୍ତୁତି, ଭୂମିକା ଅଭିନୟ ପ୍ରସ୍ତୁତି ସହ ଉପସ୍ଥାପନା ହୋଇପାରିବ ।
ଶିଶୁବାଟିକା ପିଲାଙ୍କୁ ନେଇ ଗୋଲ୍ ବୈଠକ କରାଯିବ । ପ୍ରତ୍ୟେକ ଦିନ ପ୍ରଥମ ପିରିୟଡ଼ର ୧୫ ମିନିଟ୍ ଶିଶୁବାଟିକାର ଛାତ୍ରଛାତ୍ରୀଙ୍କୁ ନେଇ ଗୋଲ ବୈଠକ କାର୍ଯ୍ୟ ହେବ । ଏହି ସମୟରେ ଶିକ୍ଷକ ପିଲାମାନଙ୍କ ସହ ମୁକ୍ତ ବାର୍ତ୍ତାଳାପ କରିବେ । ଅନୁଭୂତି ଆଧାରିତ ଆଲୋଚନା କରିବେ । ଗପ କହିବେ, କବିତା ଆବୃତ୍ତି ଓ ମୌଖିକ ଖେଳ ଖେଳିବେ । ପ୍ରତି ସପ୍ତାହର ଶନିବାର ଦିନ ଶିଶୁ ସଭା ଅନୁଷ୍ଠିତ ହେବ । ଏଠାରେ ସମସ୍ତ ଶିକ୍ଷାର୍ଥୀ ଓ ବିଦ୍ୟାଳୟ ମନ୍ତିମଣ୍ଡଳକୁ ଏକାଠି ବସାଇ ବକ୍ତୃତା, ତର୍କ, କୁଇଜ୍ ଆଦି ଆଲୋଚନା ହେବ । ଏଥିସହ ଅଭିନୟ, କବିତା ଆବୃତ୍ତି, ଲିଖନ ପରି ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟ ହେବ । ଛାତ୍ରଛାତ୍ରୀଙ୍କୁ ପାଠାଗାର ଓ ପଠନ ଅଭ୍ୟାସ କରାଯିବ । ପିଲାମାନେ ଲାଇବ୍ରେରୀରେ ବସି ପଢ଼ିବେ । ସେହିପରି ଭାଷା ପିରିୟଡ଼କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଭାଷା ପିରିୟଡ୍ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହ ମୌଖିକ ଭାଷା ବିକାଶ, ଡିକୋଡିଂ, ପଠନ, ଲିଖନ ସଂପର୍କିତ କାର୍ଯ୍ୟ ହେବ । ଶିଶୁ ବାଟିକାର ପିଲାଙ୍କୁ ପ୍ରାକ୍ ପଠନ ଓ ପ୍ରାକ୍ ଲିଖନ୍ ଅଭ୍ୟାସ କରାଯିବ । ଗଣିତ ପିରିୟଡ୍ରେ ଶିଶୁବାଟିକାର ପିଲାଙ୍କୁ ବାସ୍ତବ ବସ୍ତୁର ବ୍ୟବହାର କରି ପ୍ରାକ୍ ଗାଣିତିକ କାର୍ଯ୍ୟ ହେବ ।
Powered by Froala Editor