ବିପୁଳ ପରିମାଣର କଫ୍ ସିରପ୍ ଜବତ, ଦୁଇ ଗିରଫ
ରେଙ୍ଗାଲକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଧାନ କାଟିବା ମେସିନ୍ ବା ହାରଭେଷ୍ଟର ସାହାଯ୍ୟରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍କୁ ପୁଲିସ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପତ୍ରାପାଲି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଥିଲା। ସେଠାରେ ଏକ ସନ୍ଦିଗ୍ଧ ‘କୁବୋଟା’ ହାରଭେଷ୍ଟର ମେସିନ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ମେସିନ୍ ଭିତରୁ ୧୨ଟି କାର୍ଟୁନ୍ରେ ରଖାଯାଇଥିବା ସମୁଦାୟ ୧୪୪୦ ବୋତଲ ନିଷିଦ୍ଧ ‘ୱିନସେରେକ୍ସ’କୋଡିନ୍ ଯୁକ୍ତ କଫ୍ ସିରପ୍ ଉଦ୍ଧାର କରାଯାଇଥିଲା। ପୁଲିସ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅତାବିରା ଥାନା ଅନ୍ତର୍ଗତ ଗୁର୍ଖାପାଳି ଗ୍ରାମର ଦେହେରି ପଡ଼ାର ଜିତେନ୍ଦ୍ର ମେଣ୍ଡାଲି (୨୪) ଓ ଭେଡେନ ଥାନା ଅନ୍ତର୍ଗତ କୁତପାଲି ଗ୍ରାମର ନିରଞ୍ଜନ ତ୍ରିପାଠୀ (୩୪)। ୧୨ କାର୍ଟୁନ୍ କଫ୍ ସିରପ୍ (୧୪୪୦ ବୋତଲ) ଓ ୧ଟି କୁବୋଟା ହାରଭେଷ୍ଟର ପୁଲିସ ଏମାନଙ୍କ ପାଖରୁ ଜବତ କରିଛି।
Powered by Froala Editor