ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
ତେହରାନ : ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଚାଲିଥିବାବେଳେ ଇରାନର ବନ୍ଦର ସହର ବନ୍ଦର ଆବାସ ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ ହୋଇଛି। ହର୍ମୁଜ ପ୍ରଣାଳୀ ନିକଟରେ ଅବସ୍ଥିତ ଏହି ସହର ଇରାନ ପାଇଁ ସାମରିକ ରଣନୀତି ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ଏଠାରେ ଇରାନର ନୌସେନା ଓ ବିମାନ ଘାଟି ରହିଛି। ଇରାନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବନ୍ଦର ଆବାସ ସହରରେ ତିନିଟି ବିସ୍ଫୋରଣ ହୋଇଛି। ଆଇଆରଜିସିର କହିବା ଅନୁଯାୟୀ ବନ୍ଦର ଆବାସ ବିମାନବନ୍ଦର ନିକଟରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ଇରାନ ଉପରେ ଏହି ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସ ସ୍ବୀକାର କରିଛନ୍ତି। ହକିନ୍ସ କହିଛନ୍ତି ଯେ ଆମେରିକା ସେନା ଏହାର ସୈନ୍ୟଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ କରିଛି। ଅସ୍ତ୍ରବିରତିର ସଞ୍ଜମତା ସହିତ ନିଜର ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ ଯଥାର୍ଥ ବୋଲି ସେ କହିଛନ୍ତି। କାରଣ ଇରାନ ଏହି ବନ୍ଦର ସହରରୁ ବୋଟ୍ ମାଧ୍ୟମରେ ହର୍ମୁଜ ପ୍ରଣାଳୀରେ ମାଇନ୍ସ ବିଛାଇବାର ଉଦ୍ୟମ କରୁଥିଲା। ତେଣୁ ଇରାନର କ୍ଷେପଣାସ୍ତ୍ର ଉତ୍କ୍ଷେପଣ କେନ୍ଦ୍ର ଓ ବୋଟଗୁଡିକ ଉପରେ ଆକ୍ରମଣ କରାଯାଇଥିବା ଆମେରିକା କହିଛି। ଆମେରିକାର ଏହି ଆକ୍ରମଣ ପରେ ଇରାନ ପକ୍ଷରୁ କୌଣସି ପ୍ରତିଆକ୍ରମଣ କରାଯାଇ ନାହିଁ। ତେବେ ଇରାନ ଏହାର ବାୟୁ ସୀମା ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି।
ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏବଂ ଅସ୍ଥାୟୀ ଅସ୍ତ୍ରବିରତି ସମୟରେ ଆମେରିକାର ହଠାତ ଏପରି ଆକ୍ରମଣ ଆଞ୍ଚଳିକ ଉତ୍ତେଜନାକୁ ପୁଣି ଥରେ ବଢ଼ାଇ ଦେଇଛି। ବାନ୍ଦର ଆବାସ ସହର, ହର୍ମୁଜ ପ୍ରଣାଳୀ ଏବଂ ଏହାର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଇରାନ ଗଣମାଧ୍ୟମ ଅନୁଯାୟୀ, ଆମେରିକା ଆକ୍ରମଣରେ ସେମାନଙ୍କର ୪ ଜଣ ରିଭୋଲ୍ୟୁସନାରୀ ଗାର୍ଡ (ସୈନ୍ୟ) ପ୍ରାଣ ହରାଇଛନ୍ତି। ଇରାନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆମେରିକା ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରିଛି ବୋଲି ଅଭିଯୋଗ ଆଣିଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ କାତାର ଠାରେ ଉଭୟ ଦେଶର ପ୍ରତିନିଧିମାନେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଚଳାଇଛନ୍ତି।
Powered by Froala Editor