୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଅଶୋଧିତ ତେଲ ଦର ଉଚ୍ଚା ରହିବାରୁ ସରକାରଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିବାବେଳେ ରିଜର୍ଭ ବ୍ୟାଙ୍କ କିଛିଟା ଆଶ୍ବସ୍ତି ପ୍ରଦାନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କା (୨,୮୬,୫୮୮.୪୬ କୋଟି ଟଙ୍କା)ର ଏକ ସର୍ବକାଳୀନ ରେକର୍ଡ ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆରବିଆଇ ଏହି ଲାଭାଂଶ ଦେବ। ପୂର୍ବରୁ ବିଭିନ୍ନ ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ଏପରି ଲାଭାଂଶ ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକ ବର୍ଷର ଲାଭାଂଶ ପରିମାଣ ସର୍ବାଧିକ ରହିଛି। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଓ ୨୦୨୪-୨୫ ବର୍ଷରେ ୨.୧୦ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା।
ମୁମ୍ବାଇଠାରେ ଗଭର୍ଣ୍ଣର ସଂଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ୬୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ ଆର୍ଥିକବର୍ଷରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଲାଭାଂଶ ବାବଦରେ ୨.୬୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲା। ତେଣୁ ୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ରିଜର୍ଭ ବ୍ୟାଙ୍କ ଅଧିକ ପ୍ରାୟ ୧୮ ହଜାର କୋଟି ଟଙ୍କା ଦେବ।
ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨୦୨୩-୨୪ରେ ୨.୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୨-୨୩ରେ ୮୭,୪୧୬ କୋଟି ଟଙ୍କା ଦେଇଥିଲା। ରିଜର୍ଭ ବ୍ୟାଙ୍କର ନିଟ୍ ଆୟ (ବିପଦ ବ୍ୟବସ୍ଥା ଓ ବୈଧାନିକ ପାଣ୍ଠି ହସ୍ତାନ୍ତର ପୂର୍ବରୁ) ୨୦୨୫-୨୬ ଆର୍ଥିକବର୍ଷରେ ୩,୯୫,୯୭୨.୧୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୨୦୨୪-୨୫ ଆର୍ଥିକବର୍ଷରେ ୩,୧୩,୪୫୫.୭୭ କୋଟି ଟଙ୍କାରେ ରହିଥିଲା ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ ୨୦.୬୧ ପ୍ରତିଶତ ବୃଦ୍ଧି ଘଟି ୯୧,୯୭,୧୨୧.୦୮ କୋଟି ଟଙ୍କାରେ ପହଞ୍ଚିଛି। ସଂଶୋଧିତ ଅର୍ଥନୈତିକ ପୁଞ୍ଜି ଢାଞ୍ଚା (ଇସିଏଫ୍) ଅନୁଯାୟୀ, ସିଆର୍ବିକୁ ବାଲାନ୍ସ ସିଟ୍ର ୪.୫ ପ୍ରତିଶତରୁ ୭.୫ ପ୍ରତିଶତ ମଧ୍ୟରେ ରଖିବାର ପ୍ରାବଧାନ ରହିଛି।
Powered by Froala Editor