ବ୍ରହ୍ମପୁର ଗିରିରୋଡ ସଂଘଟିତ ବର୍ବରତା ଘଟଣା: ପୁଲିସ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ
ବ୍ରହ୍ମପୁର : ୫୯ ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ଗିରିରୋଡରେ ସୋମବାର ସନ୍ଧ୍ୟାରେ ସଂଘଟିତ ବର୍ବରତାକୁ ନେଇ ବ୍ରହ୍ମପୁର ପୁଲିସ ଚାପରେ ରହିଛି। ଏହି ପୁଲିସ ଜିଲାରେ ତିନିଦିନରେ ୨ଟି ବର୍ବରତା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି । ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଇଥିବା ବ୍ରହ୍ମପୁର ପୁଲିସ ବିଗତ କିଛିଦିନ ହେଲା ଏକାଧିକ ଅପରାଧିକ ଘଟଣାକୁ ନେଇ ଅଡୁଆରେ ପଡିଛି। ଗତକାଲି ସନ୍ଧ୍ୟାରେ ଗିରିରୋଡରେ କିଛି ଦୁର୍ବୃତ୍ତ ଠେଙ୍ଗା ଓ ବାଡିରେ ଜଣେ ଯୁବକ ଓ ତାଙ୍କର ଜଣେ ବାନ୍ଧବୀଙ୍କୁ ନିସ୍ତୁକ ମାଡ ଓ ଆକ୍ରମଣ ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଦିନ ତଳେ ବ୍ରହ୍ମପୁର ପୁଲିସ ଓ ଏହାପରେ ସମ୍ବଲପୁର ପୁଲିସ ଜଣେ ଲେଖାଏଁ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ବ୍ରହ୍ମପୁରରେ ବିଚ ରାସ୍ତାରେ ସର୍ବସମ୍ମୁଖରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ତଳେ ପକାଇ ନିସ୍ତୁକ ପ୍ରହାର କରିବା ସହରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । ଏହା ପୁଲିସ ପ୍ରତି ଅପରାଧୀଙ୍କ ଭୟ ଛାଡି ଯାଇଥିବା ଦର୍ଶାଉଛି।
ଆକ୍ରମଣରେ ଗୁରୁତର ବିଜିପୁର ରଥ ସାହିର ଉମେଶ ନାମରେ ବ୍ରହ୍ମପୁର ଓ ଗଞ୍ଜାମର ବିଭିନ୍ନ ଥାନାରେ ୧୫ଟି ମାମଲା ରହିଥିବା ବେଳେ ଆକ୍ରମଣକାରୀଙ୍କ ନାମରେ ମଧ୍ୟ ଗଣ୍ଡାଗଣ୍ଡା ମାମଲା ରହିଛି। ୨ ମାସ ତଳେ ଘଟିଥିବା ଆକ୍ରମଣ ମାମଲାର ପ୍ରତିଶୋଧ ନେବାକୁ ଯାଇ ବିପକ୍ଷ ଗୋଷ୍ଠୀ ଉମେଶକୁ ଏଭଳି ଅମାନୁଷିକ ମାଡ ମାରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ଉଭୟ ପକ୍ଷ ମଧ୍ୟରେ ରହିଥିବା ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ପ୍ରକାଶଥାଉକି, ୨ ମାସ ତଳେ ଆହତ ଉମେଶ ଓ ତାଙ୍କ ସହଯୋଗୀମାନେ ଓଲିଭ ରେଷ୍ଟୁରାଣ୍ଟ ଗଳିରେ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ଉମେଶକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଗତକାଲି ଉମେଶ ଜାମିନରେ ମୁକୁଳିଥିଲେ। ଘରୁ ଯିବା ପରେ ସନ୍ଧ୍ୟାରେ ନିଜ ବାନ୍ଧବୀ ସହ ମିଶି ଗିରିରୋଡରେ ଥିବା ଫାଷ୍ଟଫୁଡ ଦୋକାନକୁ ଖାଇବାକୁ ସ୍କୁଟିରେ ଆସିଥିଲେ। ଏହା ଜାଣିବା ପରେ ପୂର୍ବ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଉମେଶଙ୍କ ବିପକ୍ଷ ଗୋଷ୍ଠୀର ୮ ରୁ ୧୦ ଜଣ ତାଙ୍କୁ ପିଛା କରି ଗିରିରୋଡରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ଉମେଶଙ୍କ ସ୍କୁଟିକୁ ଧକ୍କା ଦେବାରୁ ସେ ଓ ତାଙ୍କ ବାନ୍ଧବୀ ତଳେ ପଡିଯାଇଥିଲେ। ଏହାପରେ ୨ ଜଣ ଅଭିଯୁକ୍ତ ବାଡି ଓ ଠେଙ୍ଗାରେ ଉମେଶଙ୍କୁ ନିସ୍ତୁକ ପ୍ରହାର କରିଥିଲେ। ସେହି ସମୟରେ ଉମେଶଙ୍କ ବାନ୍ଧବୀ ବଞ୍ଚାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କ ଠେଙ୍ଗା ମାଡରେ ଉମେଶଙ୍କ ୨ ଗୋଡ ଓ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜି ମେଡିକାଲକକୁ ପଠାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳ ଓ ଏମକେସିଜିରେ ପହଞ୍ଚି ତଦନ୍ତ କରିଥିଲା। ଉମେଶଙ୍କ ମାଆ ଅମୂଲ୍ୟ ରଥ ନିଜ ଅଭିଯୋଗରେ ପୁରୁଣା ଅପରାଧୀ ତଥା ସନ୍ଦୀପ ସାହୁ ଓରଫ ମୋଗଲୀ, ରାଜ ମାଲହୋତ୍ରା, ଆକାଶ ସାହୁ ତାଙ୍କ ଭାଇ ମୁକେଶ ସାହୁ ସମେତ ୫ ଜଣଙ୍କ ନାଁ ନେଇଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି।
Powered by Froala Editor