ଟେମ୍ପୋ ଉପରେ ମାଡ଼ିଗଲା କଣ୍ଟେନର: ୧୩ ମୃତ, ୨୫ ଗୁରୁତର
ମୁମ୍ବାଇ-ଅହମଦାବାଦ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କଣ୍ଟେନର ଟ୍ରକ୍, ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଉପରେ ମାଡିଯାଇଛି। ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳ ଚିତ୍କାରରେ କମ୍ପି ଉଠିଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପାଲଘର ଜିଲ୍ଲାର ଏକ ଗ୍ରାମୀଣ ଇଲାକାରେ ଏହି ଦୁର୍ଘଟଣା ଘଟିଛି। ଟେମ୍ପୋରେ ଥିବା ସମସ୍ତ ଯାତ୍ରୀ ଦହାନୁର ବାପୁଗାଓଁରୁ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ଧନିବାରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ଗୁଜରାଟରୁ ମୁମ୍ବାଇ ଯାଉଥିବା ଏକ ବିଶାଳ କଣ୍ଟେନର ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଟେମ୍ପୋ ଏବଂ ପରେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୨୫ ଜଣଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ରଙ୍ଗ୍ ସାଇଡ୍ରେ ଗାଡ଼ି ଚଲାଇବା କାରଣରୁ ଏହି ବଡ଼ ବିପତ୍ତି ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor