ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର
ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା କମିଯାଉଥିବାରୁ ଜନସଂଖ୍ୟା ବଢ଼ାଇବା ଲାଗି ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଏଣିକି ରାଜ୍ୟରେ ଯେଉଁ ପରିବାର ୩ୟ ସନ୍ତାନ ଜନ୍ମ ଦେବେ ସରକାର ତାଙ୍କୁ ୩୦ ହଜାର ଟଙ୍କା ଦେବେ । ସେହିଭଳି ୪ର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ।
ଶ୍ରୀକାକୁଲମ୍ ଜିଲ୍ଲାର ନରସନ୍ନାପେଟାରେ ଆଜି ଆୟୋଜିତ ‘ସ୍ୱର୍ଣ୍ଣ ଆନ୍ଧ୍ର-ସ୍ୱଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଘୋଷଣା କରିଛନ୍ତି । ‘ସ୍ବର୍ଣ୍ଣ ଆନ୍ଧ୍ର-ସ୍ବଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଏକ ନୂଆ ନିଷ୍ପତ୍ତି ନେଇଛି। ଆମେ ତୃତୀୟ ସନ୍ତାନ ଜନ୍ମ ହେବା ମାତ୍ରେ ୩୦,୦୦୦ ଟଙ୍କା ଏବଂ ଚତୁର୍ଥ ସନ୍ତାନ ଜନ୍ମରେ ୪୦,୦୦୦ ଟଙ୍କା ଦେବୁ। ଏହା କଣ ଏକ ସଠିକ ନିଷ୍ପତ୍ତି ନୁହେଁ କି?”
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଓକିଲାତି କରୁଥିଲେ, କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ସେ ମତ ବଦଳାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ସମୟ ଆସିଛି, ସମାଜ ମିଳିତ ଭାବେ ଜନ୍ମ ହାର ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଉଚିତ।
ଚନ୍ଦ୍ରବାବୁ କହିଛନ୍ତି ଯେ କିଛି ପରିବାରର ଆୟ ବୃଦ୍ଧି ପାଇଥିଲେ ମଧ୍ୟ ସେମାନେ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିଛି ଲୋକ ଯଦି ପ୍ରଥମ ସନ୍ତାନ ପୁଅ ନ ହୁଏ ତେବେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଉଛନ୍ତି । ଏଭଳି ପଦକ୍ଷେପ ଯୋଗୁ ରାଜ୍ୟରେ ଜନସଂଖ୍ୟା ହାର ହ୍ରାସ ପାଇବାରେ ଲାଗିଛି । ସନ୍ତାନ ବୋଝ ନୁହେଁ, ବରଂ ଦେଶର ସମ୍ପତ୍ତି ଭାବେ ଦେଖିବାକୁ ପଡିବ ।
Powered by Froala Editor