ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯାଇଥିଲେ ବୃଦ୍ଧା, ହୋଇଗଲେ ନିଖୋଜ
ଅନୁଗୋଳ: ଧାର ଦେଇଥିବା ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯାଇ ବୃଦ୍ଧା ନିଖୋଜ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଘଟଣାକୁ ନେଇ ପୁଲିସ୍ ଜୋରଦାର ତଦନ୍ତ କରିଥିବାବେଳେ ଜଣେ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ ଗିରାଙ୍ଗ ବାଲିସାହିର ସୁସମା ସାମଲ (୫୫) ସେହି ଗାଁରେ ରହୁଥିବା ବିଜୟ ଗଡନାୟକଙ୍କୁ ଧାର ସୂତ୍ରରେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ। ଦୀର୍ଘଦିନ ଧରି ଟଙ୍କା ଫେରସ୍ତ ନମିଳିବାରୁ ସେ ବାରମ୍ବାର ବିଜୟଙ୍କ ଘରକୁ ଯାଉଥିବା କୁହାଯାଉଛି। ଏହାକୁ ନେଇ ସେ ମାନସିକ ଚାପରେ ମଧ୍ୟ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।ଆଜି ସକାଳେ ବିଜୟ ଟଙ୍କା ଫେରାଇବେ ବୋଲି କହିବା ପରେ ସୁଷମା ତାଙ୍କ ଘରକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପୁଅ ରଞ୍ଜନ ସାମଲ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ପରେ ବିଜୟ ଗଡନାୟକ ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରାଯାଇଛି। ଏପଟେ ମହିଳାଙ୍କୁ କେହି ଅପହରଣ କରିଛି କିମ୍ବା ସେ ମାନସିକ ଅସ୍ଥିରତାରେ କେଉଁଠିକି ଚାଲିଯାଇଛନ୍ତି କି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
Powered by Froala Editor