ମାନବାଧିକାର ଫୋରମ୍ର ‘ଜିଲା ଅଧ୍ୟକ୍ଷ’ ପରିଚୟ ଦେଇ ଲୁଟୁଥିଲେ, ହେଲେ ଗିରଫ
ରେଢ଼ାଖୋଲ : ନିଜକୁ ନୀତି ଆୟୋଗ ଅଧୀନରେ ଥିବା ମାନବାଧିକାର ଫୋରମ୍ର ‘ଜିଲା ଅଧ୍ୟକ୍ଷ’ ପରିଚୟ ଦେଇ ବିଭିନ୍ନ ଢାବା ଓ ହୋଟେଲରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ରେଢ଼ାଖୋଲ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମ୍ବଲପୁର ସହର ଅଇଁଠାପାଲି ଅଞ୍ଚଳର ସିଦ୍ଧାନ୍ତ ସିଂ (୨୫)।
ନିଜ ଦାମୀ କାର ସମ୍ମୁଖରେ ସିଦ୍ଧାନ୍ତ ‘ଜିଲା ଅଧ୍ୟକ୍ଷ, ସମ୍ବଲପୁର, ମାନବ ଅଧିକାର ଫୋରମ୍, ନୀତି ଆୟୋଗ (ଭାରତ ସରକାର) ଦ୍ୱାରା ପଞ୍ଜିକୃତ’ ଲେଖାର ଏକ ବୋର୍ଡ ଲଗାଇ ବୁଲୁଥିଲେ। ସେ ବିଭିନ୍ନ ଢାବା ଓ ହୋଟେଲରେ ଅଚାନକ ପହଞ୍ଚି ଯାଇ ନିଜକୁ ଜଣେ ବଡ଼ ସରକାରୀ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ମଦ ଓ ଚୋରା ତେଲ କାରବାରର ମିଥ୍ୟା ଅଭିଯୋଗ ଆଣି ସେ ମାଲିକମାନଙ୍କୁ ଜେଲ ପଠାଇ ଦେବା ଧମକ ଦେଇ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିଲେ। ଶନିବାର ସେ ସାଧୁମୁଣ୍ଡା ସ୍ଥିତ ସଞ୍ଜୀବ ଢାବାକୁ ଆସି ଟଙ୍କା ମାଗିବା ସହ ଗାଳିଗୁଲଜ କରିଥିଲେ। ତେବେ ଢାବା ମାଲିକଙ୍କ ସନ୍ଦେହ ହେବାରୁ ଏବଂ ଅନ୍ୟମାନେ ଏକଜୁଟ ହେବା ଦେଖି ସିଦ୍ଧାନ୍ତ ସେଠାରୁ ଖସି ପଳାଇଥିଲେ। ତୁରନ୍ତ ଢାବା ମାଲିକ ଅକ୍ରୂର ସାହୁ ରେଢାଖୋଲ ପୁଲିସକୁ ସୂଚନା ଦେଇଥିଲେ। ଜାତୀୟ ରାଜପଥରେ ନାକାବନ୍ଦୀ କରାଯାଇ ଜରପଡ଼ାରେ କାର୍କୁ ଅଟକାଇ ସିଦ୍ଧାନ୍ତକୁ ପୁଲିସ କାବୁ କରିଥିଲା। ତେବେ କାର ଚାଳକ ସାଗର ବାଡ଼ା (୩୨) ସେଠାରୁ ଫେରାର ହୋଇଯାଇଥିଲା। କାର୍ରେ ଲାଗିଥିବା ନକଲି ବୋର୍ଡ, ମାନବାଧିକାର ଫୋରମ୍ର ନକଲି ପରିଚୟପତ୍ର, ୨ଟି ମୋବାଇଲ ଓ ନଗଦ ୨୦୦୦ ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତ ସିଦ୍ଧାନ୍ତଙ୍କ କୌଣସି ସରକାରୀ ସଂସ୍ଥା ସହ ସମ୍ପୃକ୍ତି ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି। ଗିରଫ ସିଦ୍ଧାନ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି।
Powered by Froala Editor