୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା
ଭାରତୀୟ ବଂଶୋଦ୍ଭବ ବର୍ଷା ଗୋହିଲ ନିଜ ପୂର୍ବତନ ସ୍ୱାମୀ ଭଦ୍ରେଶ ଗୋହିଲଙ୍କଠୁ ୬୬ ଲକ୍ଷ ପାଉଣ୍ଡ (ପ୍ରାୟ ୮୫ କୋଟି ଟଙ୍କା)ର ଭରଣପୋଷଣ ପାଇଛନ୍ତି । ଏହାକୁ ବିଟ୍ରେନର ଅନ୍ୟତମ ସବୁଠୁ ବଡ଼ ଛାଡ଼ପତ୍ର ମାମଲା କୁହାଯାଉଛି ।
ସୂଚନା ଅନୁସାରେ, ୨୦୦୨ ମସିହାରେ ବର୍ଷା ଗୋହିଲ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଛାଡ଼ପତ୍ର ଆବେଦନ କରିଥିଲେ। ସ୍ୱାମୀ ପରକୀୟା ସମ୍ପର୍କ ରଖୁଥିବା ଅଭିଯୋଗ ଆଣିଥିଲେ ବର୍ଷା। ୨୦୦୪ ମସିହାରେ ଉଭୟଙ୍କ ମଧ୍ୟରେ ଏକ ଆର୍ଥିକ ବୁଝାବଣା ହୋଇଥିଲା। ତେବେ ସ୍ବାମୀ ତାଙ୍କ ପ୍ରକୃତ ସମ୍ପତ୍ତି ଓ ରୋଜଗାର ସମ୍ପର୍କରେ ସଠିକ ସୂଚନା ଦେଇନଥିବା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ତ୍ରୀ।
ପ୍ରାରମ୍ଭରେ ମାମଲା ଶୀଘ୍ର ସମାଧାନ ହୋଇଥିଲା । ବର୍ଷା ପ୍ରାୟ ୨.୭ ଲକ୍ଷ ପାଉଣ୍ଡ (ପ୍ରାୟ ୩.୪୭ କୋଟି)ର ଭରଣପୋଷଣ ଅର୍ଥ ସ୍ୱୀକାର କରିସାରିଥିଲେ । ପରିବାରର ପ୍ୟୁଜୋ କାର୍ ମଧ୍ୟ ନିଜ ପାଖରେ ରଖିଥିଲେ । କିନ୍ତୁ ସେ ସର୍ବଦା ସନ୍ଦେହରେ ଥିଲେ ଯେ ସ୍ୱାମୀ ନିଜର ସମସ୍ତ ସମ୍ପତ୍ତି ବିଷୟରେ ତାଙ୍କୁ ସୂଚନା ଦେଇନାହାନ୍ତି । ଛାଡ଼ପତ୍ର ସମୟରେ ଆଇନ ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କୁ ନିଜର ସମସ୍ତ ସମ୍ପତ୍ତି ଓ ଆୟର ସୂଚନା ଦେବାକୁ ପଡ଼େ । ବର୍ଷାଙ୍କର ସନ୍ଦେହ ଥିଲା ଯେ ଭଦ୍ରେଶ ତାଙ୍କୁ କିଛି ଲୁଚାଇଛନ୍ତି, କିନ୍ତୁ ଏହାର କୌଣସି ପ୍ରମାଣ ତାଙ୍କ ପାଖରେ ନ ଥିଲା । ୨୦୦୦ ମସିହା ଶେଷରେ କାହାଣୀ ଭିନ୍ନ ମୋଡ଼ ନେଲା । ଭଦ୍ରେଶ ଏକ ବଡ଼ ଅନ୍ତର୍ଜାତୀୟ ଭ୍ରଷ୍ଟାଚାର ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ।
ରିପୋର୍ଟ ଅନୁସାରେ, ଭଦ୍ରେଶ ନାଇଜେରିଆର ପୂର୍ବ ଗଭର୍ନର ଜେମ୍ସ ଇବୋରୀଙ୍କ ସହଯୋଗୀମାନଙ୍କ ଓକିଲ ଥିଲେ । ତାଙ୍କ ବିରୋଧରେ ଅଭିଯୋଗ ହେଲା, ସେ କୋଟି କୋଟି ପାଉଣ୍ଡ କଳା ଧନକୁ ଅଲଗା ଅଲଗା କମ୍ପାନି ଓ ଆକାଉଣ୍ଟ ଜରିଆରେ ଲୁଚାଇବା ଏବଂ ତାକୁ ସତ୍ ଉପାୟରେ ଆୟ କରିଥିବା ଅର୍ଥ ରୂପେ ଦର୍ଶାଇବାରେ ସାହାଯ୍ୟ କରିଛନ୍ତି । ଦୀର୍ଘ ଦିନର ଯାଞ୍ଚ ପରେ ମନି ଲଣ୍ଡ୍ରିଂ, ଜାଲିଆତି ଓ ଠକେଇ ଷଡ୍ଯନ୍ତ୍ର ଭଳି ଅନେକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେଲେ । ୨୦୧୧ରେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଗଲା । ଏ ବିଷୟରେ ଜଣାପଡ଼ିବା ପରେ ବର୍ଷା ୨୦୦୭ରେ ପୁରୁଣା ଛାଡ଼ପତ୍ର ଚୁକ୍ତିକୁ ଚାଲେଞ୍ଜ ଦେଲେ ।
ମାମଲା ବ୍ରିଟେନର ସୁପ୍ରିମ୍କୋର୍ଟରେ ପହଞ୍ଚିଲା । ୨୦୧୫ରେ ସୁପ୍ରିମ୍କୋର୍ଟ ବର୍ଷାଙ୍କୁ ପୁରୁଣା ଛାଡ଼ପତ୍ର ଚୁକ୍ତି ଫାଇଲକୁ ପୁନଃ ଖୋଲିବାକୁ ଅନୁମତି ଦେଲେ । ବ୍ରିଟେନର ସରକାରୀ ଏଜେନ୍ସି କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ କହିଲା, ୨.୮ କୋଟି ପାଉଣ୍ଡ ସମ୍ପତ୍ତି ପୂରାପୂରି ଅପରାଧରୁ ପ୍ରାପ୍ତ ଆୟ । ସେଥିପାଇଁ ଏହାକୁ ଜବତ କରିବା ଉଚିତ୍ ଏବଂ ଛାଡ଼ପତ୍ର ଭାଗବଣ୍ଟାରେ ସାମିଲ କରିବା ଉଚିତ୍ ନୁହେଁ ।
Powered by Froala Editor