ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ିବା ପରିବର୍ତ୍ତେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହେଉଛନ୍ତି ସିବିଏସଇ ବିଦ୍ୟାର୍ଥୀ
ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏବେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି। ସେମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ନାମ ଲେଖାଇବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବିଳମ୍ବିତ ନାମଲେଖା ପ୍ରକ୍ରିୟା ଯୋଗୁଁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁହାଁଉଥିବା ଜଣାପଡ଼ିଛି। ଏଥିସହ ସିବିଏସଇ ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ବାରା ପରିଚାଳିତ ଦଶମ ପରୀକ୍ଷା ଫଳ ପ୍ରକାଶନରେ ସମୟ ବ୍ୟବଧାନ ଏକ କାରଣ ବୋଲି କୁହାଯାଉଛି।
ସିବିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଏପ୍ରିଲ ୧୬ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏବେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖାଇବାକୁ ବ୍ୟସ୍ତ। ତେବେ ସିବିଏସ୍ଇ ବୋର୍ଡର ଯେଉଁସବୁ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀ ପାଠ୍ୟକ୍ରମ ରହିଛି, ସେଠାରେ ନିର୍ଦିଷ୍ଟ ସଂଖ୍ୟାର ଆସନ ରହିଛି। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇବା ସମ୍ଭବପର ହେଉନାହିଁ। ଯେଉଁମାନେ ନିଜ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି, ସେମାନେ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ଆଗ୍ରହୀ। ତେବେ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ବିଳମ୍ବରେ ଚାଲିଛି। ଏହାର ସୁଯୋଗରେ ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଦ୍ୟାର୍ଥୀଙ୍କ ପାଖକୁ ଯାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ନାମଲେଖା ନିମନ୍ତେ ବୁଝାଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଡେମୋ କ୍ଲାସ ଦେଇ ନିଜ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନେଉଛନ୍ତି। ଅର୍ଥାତ ସିବିଏସଇର ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ିବା ପରିବର୍ତ୍ତେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି।
ସିବିଏସଇ ତୁଳନାରେ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ପରୀକ୍ଷା ଫଳ ପ୍ରକାଶନରେ ପାଖାପାଖି ୧୫ଦିନରୁ ଊର୍ଦ୍ଧ୍ବ ବିଳମ୍ବ ହେଉଛି। ଯେଉଁ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ନମ୍ବର ଆଧାରରେ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ନିଜ ନିଜ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରୁନାହାନ୍ତି ସେମାନେ ଏବେ ରାଜଧାନୀ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି। ଅଭିଭାବକ ନିଜ ପିଲାଙ୍କ ନାମଲେଖା ପାଇଁ ବ୍ୟସ୍ତ ହେଉଥିବାରୁ ଯେଉଁ ଘରୋଇ ଶିକ୍ଷାନୁଷ୍ଠାନ ଯେତିକି ଅର୍ଥ ଦାବି କରୁଛନ୍ତି ତାହା ଦେବାକୁ ବାଧ୍ୟ ହେଉଛନ୍ତି।
Powered by Froala Editor