ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ
ଅହମଦାବାଦ: ଗୁଜରାଟର ପ୍ରସିଦ୍ଧ ଶୈବପୀଠ ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଏକଦା ବିଦେଶୀ ଶାସକଙ୍କ ଆକ୍ରମଣରେ ଧରାଶାୟୀ ହୋଇପଡିଥିବା ଏହି ମନ୍ଦିରର ପୁନଃନିର୍ମାଣରେ ବଳିଦାନ ଦେଇଥିବା ଲୋକଙ୍କୁ ଇତିହାସ ସବୁ ଦିନ ମନେ ରଖିବ ବୋଲି ମୋଦୀ କହିଛନ୍ତି। ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ମନ୍ଦିରର ପୁନଃନିର୍ମାଣରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନର ପ୍ରଶଂସନୀୟ ଅବଦାନ ରହିଛି। ଏଭଳି ଏକ ସ୍ବତନ୍ତ୍ର ସମୟରେ ସୋମନାଥ ମନ୍ଦିର ପରିଦର୍ଶନ କରିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଆରବ ସାଗର କୂଳରେ ଅବସ୍ଥିତ ଏହି ମନ୍ଦିର ଭକ୍ତଙ୍କ ପ୍ରାଣରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଥାଏ। ଚଳିତବର୍ଷ ପ୍ରାରମ୍ଭରେ ‘ସୋମନାଥ ସ୍ବାଭିମାନ ପର୍ବ’ ଆୟୋଜିତ ହୋଇଥିବାବେଳେ ମୋଦୀ ଏଥିରେ ଯୋଗଦେଇଥିଲେ। ଚଳିତମାସ ୧୧ରେ ସୋମନାଥ ମନ୍ଦିରରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ ଆୟୋଜିତ ହେଉଥିବାବେଳେ ମୋଦୀ ସେଥିରେ ଯୋଗଦେବେ ବୋଲି କହିଛନ୍ତି।
Powered by Froala Editor