ଆସନ୍ତା ମାସରୁ ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା

ଆସନ୍ତା ମାସରେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିଜେପିର ସଂସଦୀୟ ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି । ଭାରତ ବାୟୋଟେକ୍ର କୋଭାକ୍ସିନ୍ ବର୍ତ୍ତମାନ ପରୀକ୍ଷଣ ପ୍ରକ୍ରିୟାରେ ରହିଛି। ଏହା ସଫଳ ହେଲେ ଯଥାଶୀଘ୍ର ଶିଶୁଙ୍କୁ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତୃତୀୟ ଲହରକୁ ରୋକିବା ଲାଗି ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ), ଦିଲ୍ଲୀ ମୁଖ୍ୟ ଡ. ରଣଦୀପ ଗୁଲେରିଆ କହିଛନ୍ତି।
ସୂଚନାନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ହଠାତ ବୃଦ୍ଧି ପାଇଛି। ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ଶିଶୁ ୫ ବର୍ଷରୁ କମ୍। ଇଣ୍ଡୋନେସିଆରେ ଏଯାଏଁ ୩୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨.୫ ପ୍ରତିଶତ ଆକ୍ରାନ୍ତ କେବଳ ଶିଶୁବର୍ଗରୁ ରହିଛନ୍ତି। ଏଥିମଧ୍ୟରୁ ପାଖାପାଖି ୮ଶହ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ତୃତୀୟ ଲହରର କେତେବେଳେ ଯେ ଭାରତୀୟ ଶିଶୁଙ୍କୁ ଆକ୍ରାନ୍ତ କରିବ ସେ ନେଇ ସରକାର ଚିନ୍ତିତ ରହିଛନ୍ତି। କାରଣ ଆଗକୁ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଗୋଟିଏ ପଟେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁସଂଖ୍ୟା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ତେଣୁ କରୋନା ଟିକା ଦିଆଯିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।
Powered by Froala Editor