ସରକାରଙ୍କ ବଡ଼ ନିଷ୍ପତ୍ତି: ବ୍ୟାଙ୍କ ବୁଡ଼ିଲେ ବି ଜମାକାରୀ ୯୦ ଦିନରେ ପାଇବେ ୫ ଲକ୍ଷ ବୀମା ରାଶି

ବ୍ୟାଙ୍କ ବୁଡ଼ିଲେ ବି ଜମାକାରୀଙ୍କୁ ୯୦ ଦିନ ଭିତରେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ଡିଆଇସିଜିସି ଆଇନ ୧୯୬୧ରେ ପରିବର୍ତ୍ତନ କରିଛି। ଏ ସଂକ୍ରାନ୍ତ ବିଲ୍କୁ କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରସ୍ତାବିତ ବିଧେୟକ ସମସ୍ତ ସରକାରୀ ଘରୋଇ, ଗ୍ରାମ୍ୟ ଉନ୍ନୟନ ଓ ଏପରିକି ଭାରତରେ ବ୍ରାଞ୍ଚ ଖୋଲିଥିବା ବିଦେଶୀ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ। ଏଥିପାଇଁ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି।
ଉଲ୍ଲେଖନୀୟ, କୌଣସି ବ୍ୟାଙ୍କ ଦେବାଳିଆ ହେଲେ କିମ୍ବା ଏହାର ଲାଇସେନ୍ସ ରଦ୍ଦ ହେଲେ ଉକ୍ତ ବ୍ୟାଙ୍କର ଜମାକାରୀଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ସୁରକ୍ଷିତ ରହିବ। ଜମା ଓ ସୁଧକୁ ମିଶାଇ ୫ ଲକ୍ଷ ଟଙ୍କା ହେଉଥିଲେ, ଏହି ସୁବିଧା ମିଳିବ। ଏହା ଦ୍ୱାରା ଦେଶର ୯୮.୩% ବ୍ୟାଙ୍କ ଗ୍ରାହକ ସେମାନଙ୍କ ଜମା ଟଙ୍କାର ସୁରକ୍ଷା ପାଇ ପାରିବେ।
ସାଧାରଣତଃ ବ୍ୟାଙ୍କ ବୁଡ଼ି ଗଲେ ସବୁ ପ୍ରକାରର କାର୍ଯ୍ୟକ୍ରମ ଶେଷ କରି ଲୋକଙ୍କୁ ଟଙ୍କା ଦେବାକୁ ୮ରୁ ୧୦ ବର୍ଷ ସମୟ ଲାଗୁଥିଲା। କିନ୍ତୁ ଏବେ ମୋରାଟରିୟମ ଲାଗୁ ହେବାର ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ବୀମା ରାଶି ମିଳିବ। ମୋରାଟରିୟମ ଲାଗୁ ହେବାର ପ୍ରଥମ ୪୫ ଦିନ ମଧ୍ୟରେ ବ୍ୟାଙ୍କ ପକ୍ଷରୁ ସବୁ କିଛି ବୀମା କମ୍ପାନୀକୁ ହ୍ୟାଣ୍ଡଓଭର କରିବାକୁ ପଡ଼ିବ। ଏହାର ୪୫ ଦିନ ପରେ ଜମାକାରୀଙ୍କୁ ସେମାନଙ୍କ ବୀମା ଅର୍ଥ ମିଳିଯିବ। ବ୍ୟାଙ୍କ ସମସ୍ୟା ସହ ଗ୍ରାହକଙ୍କ କୌଣସି ସମ୍ପର୍କ ରହିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବେ ଏହାର ସୀମା ୧ ଲକ୍ଷ ଟଙ୍କା ଥିଲା।
Powered by Froala Editor