ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ: ରାଷ୍ଟ୍ରପତି
ରାଉରକେଲା: ଷ୍ଟିଲ୍ ସିଟି ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଝାରସୁଗୁଡା ଏୟାରପୋର୍ଟରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ତାଙ୍କୁ ସ୍ଵାଗତ କରିଥିଲେ। ସେଠାରୁ ସେ ସିଧାସଳଖ ରାଉରକେଲା ଅଭିମୁଖେ ଗସ୍ତ କରିଥିଲେ। ଆଜି ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପୁରା ପୁଲିସ୍ ଛାଉଣୀରେ ଇସ୍ପାତ ସହର । ରାଉରକେଲା ୱାନ୍’ ପ୍ରକଳ୍ପ ଅଧୀନରେ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ଏକ ଜନଜାତି ସଂଗ୍ରହାଳୟ ଏବଂ ଏକ ପ୍ରେକ୍ଷାଳୟର ଉଦଘାଟନ କରିଛନ୍ତି । କୋଏଲ ନଗରରେ ଏକ ବିଶାଳ ପାର୍କ ଏବଂ ଛେଣ୍ଡ କଲୋନୀରେ ଏକ ପ୍ଲାନେଟାରିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ପରେ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି। ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ। ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି।
ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି। ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ। ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବନି। ଓଡ଼ିଶାରେ କାର୍ଯ୍ୟ କରୁଥିବା ସୁଭଦ୍ରା ଯୋଜନା ମହିଳାଙ୍କୁ ଆଗକୁ ନେବ।
Powered by Froala Editor