ରଥ ନିର୍ମାଣ ଅନୁକୂଳ କଲେ ଦେଉଳ ପୁରୋହିତ
ପୁରୀ : ଅକ୍ଷୟ ତୃତୀୟା ତିଥିରେ ଶାସ୍ତ୍ରୀୟ ବିଧି ଅନୁଯାୟୀ ରଥ ନିର୍ମାଣ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଟି ୧୨ ଫୁଟିଆ ଧଉରା କାଠ ରଖାଯାଇ ସଂସ୍କାର କରାଯିବା ସହ ପୂଜା କରାଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପ୍ରଦାନ ପରେ ତିନିଟି ସୁନା କୁରାଢ଼ିରେ ଉଦ୍ଦିଷ୍ଟ କାଠକୁ ଛେଦନ କରି ରଥ ନିର୍ମାଣ ଅନୁକୂଳ କରିଛନ୍ତି ଦେଉଳ ପୁରୋହିତ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ନକ୍ଷତ୍ର ବନ୍ଦାପନା ପରେ ଚନ୍ଦନ ଠାକୁର ବିମାନକୁ ବିଜେ କରିଥିଲେ। ଏହାପରେ ଦାରୁବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ସହ ତିନି ପୂଜାପଣ୍ଡା ସାମନ୍ତ ଶୋଭାଯାତ୍ରାରେ ରଥ ଖଳାକୁ ଯାଇଥିଲେ। ସେଠାରେ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ପ୍ରସ୍ତୁତ ହୋଇ ରହିଥିଲା।
ଦେଉଳ ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣ ବୈଦିକ ଯଜ୍ଞ କରିଥିଲେ। କାଠ ଗୁଡ଼ିକୁ ସଂସ୍କାର କରାଯାଇଥିଲା। ପୂଜାପଣ୍ଡା ସେବକ ଧଉରା କାଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଥିଲେ। ପଞ୍ଚ ମହାଦେବଙ୍କ ସହ ରାମକୃଷ୍ଣ, ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ସେଠାରେ ପହଞ୍ଚିଥିଲେ। ତିନିଟି ସୁନା କୁରାଢ଼ିରେ ଦେଉଳ ପୁରୋହିତ ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠରେ ଛେଦନ କରିଥିଲେ। ରଥ ନିର୍ମାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା।
Powered by Froala Editor