ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର ଓ ହିମାଚଳରେ ବନ୍ୟା ବିତ୍ପାତ: ମୃତ୍ୟୁ ସଂଖ୍ୟା ବଢୁଛି, ନିଖୋଜଙ୍କ ପତ୍ତା ମିଳୁନି
ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ ଜାରି ରହିଛି । ହିମାଚଳରେ ବନ୍ୟା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ନିଖୋଜ ହୋଇଯାଇଛନ୍ତି । ଏପଟେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ଯୋଗୁଁ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ମହାରାଷ୍ଟ୍ର ଓ ହିମାଚଳ ଛଡା ଜମ୍ମୁ କଶ୍ମୀରରେ ବର୍ଷାର ତାଣ୍ଡବ ଜାରି ରହିଛି । ସେଠାରେ ମଧ୍ୟ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ ୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଚମ୍ବା ଜିଲ୍ଲାରେ ଜଣେ ପ୍ରାଣ ହରାଇଛି । ଲାହୋଲ-ସ୍ପିତିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭ ଜଣ ନିଖୋଜ ଅଛନ୍ତି । କୁଲ୍ଲୁ ଜିଲ୍ଲାରେ ଜଣେ ୨୪ ବର୍ଷୀୟା ମହିଳା ଓ ତାଙ୍କ ୪ ବର୍ଷର ପୁଅ ବ୍ରହ୍ମଗଙ୍ଗା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଲାହୋଲର ଉଦୟପୁରରେ ଏକ ନିର୍ମାଣ ପ୍ରକଳ୍ପରେ କାର୍ୟ୍ୟ କରୁଥିବା କେତେକ ଶ୍ରମିକ ଓ ଏକ ଜେସିବି ମେସିନ ବନ୍ୟାଜଳରେ ଭାସିଯାଇଛି । ୩ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବାବେଳେ ଆଉ ୭ ନିଖୋଜ ଅଛନ୍ତି ।
ସେହିପରି ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଭୋର ୪ଟା ସମୟରେ ଜିଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ୨୮ ଜଣ ହଠାତ ନିଖୋଜ ହୋଇଯାଇଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ଓ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor