ଚାଷିଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ
ବାସୁଦେବପୁର : ପରିବା କ୍ଷେତରେ କାଳବୈଶାଖୀ ମାଡ଼, କାନ୍ଦୁଛି ଚାଷୀ। କାଳବୈଶାଖୀ କାଳ ସାଜିଛି। ପରିବା କ୍ଷେତରେ ଦାଉସାଧିଛି। ବୈଶାଖୀ ବର୍ଷା ପବନ ମାଡ଼ରେ ଶତାଧିକ କ୍ଷେତ ଉଜୁଡି ଯାଇଛି। ଚାଷ ପାଇଁ କରିଥିବା ହାତ ଉଦ୍ଧାରୀ, ଋଣ କିପରି ଶୁଝିବେ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଜିଲାର ଭାତ ହାଣ୍ଡି କୁହାଯାଏ। ଖରିଫର ଧାନ ଚାଷ ପରେ ରବିରେ ପରିବା ଚାଷ ହୋଇଥାଏ। ବ୍ଲକର ମିରିଗା, ଅଫୁଲା, ସୁଦର୍ଶନପୁର, ଇରମ, ନୁଆ ଗାଁ, ଅରଣ୍ଡୁଆ ଆଦି ଅଞ୍ଚଳରେ ଅଧିକ ପରିବା ଚାଷ ହୋଇ ଥାଏ।
ଏଥର ରବିର ପରିବା କ୍ଷେତରେ କାଳ ବୈଶାଖୀ ମାଡ଼ କରିଛି। କିଛି ଦିନଧରି ଲଗାତାର ବର୍ଷା ପବନ ଓ କୁଆ ପଥର ମାଡ଼ରେ ଶତାଧିକ ଏକର ପରିବା କ୍ଷେତ ଉଜୁଡି ଯିବାକୁ ବସିଛି। ପାଣିରେ ଉବୁଟୁବୁ ହେଉଛି ପରିବା ବାଡ଼ି। କାହା କ୍ଷେତରେ ବିଲାତି, କାକୁଡି, କଲରା, ପୋଇ, ବୋଇତାଳୁ ପାଣିରେ ବୁଡିଛି। ଆଉ କାହାର ବାଇଗଣ, ଭେଣ୍ଡି କିଆରୀରେ ପାଣି ଛିଡା ହୋଇଛି। ଅମଳ ବେଳରେ ପରିବା ଚାଷୀକୁ କାଳ ବୈଶାଖୀ ବର୍ଷା କନ୍ଦାଇ ଦେଇଛି। ସରକାରୀ ସ୍ତରରେ ଚାଷୀଙ୍କୁ ଚିହ୍ନଟ କରି ସହାୟତା ଦେବାକୁ ଦାବି ହେଉଛି।
Powered by Froala Editor