ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ
ସିଲିଗୁଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ସ୍ମୋକ-ଆଲାର୍ମ ବାଜିବା ପରେ ଲକ୍ଷ୍ନୋ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଗଡୋଗରାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ । ସେଥିରେ ୧୪୮ ଜଣ ଯାତ୍ରୀ ଥିଲେ । ମଝି ଆକାଶରେ ଧୂଆଁ ବାହାରିବା ପରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।
ଲକ୍ଷ୍ନୌରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) କୁ ଡାଇଭର୍ଜନ ବିଷୟରେ ସତର୍କ କରାଯାଇଥିଲା। ବିମାନଟି ସନ୍ଧ୍ୟା ପ୍ରାୟ ୫.୧୮ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଘଟଣା ପରେ ବିମାନକୁ “ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ” (AOG) ଘୋଷଣା କରାଯାଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବିକଳ୍ପ ବିମାନରେ ସ୍ଥାନ ଦିଆଯାଇଛି। ଘଟଣାକୁ ନିଶ୍ଚିତ କରି ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରୁ ସଦସ୍ୟମାନେ ଧୂଆଁ ଦେଖି ବିମାନକୁ ଲକ୍ଷ୍ନୌକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
Powered by Froala Editor