ମର୍ଣ୍ଣିୱାକ ଯାଇଥିଲେ, ଲୁଟିନେଲେ ୧ କେଜି ସୁନା
ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରେମନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ୍ ହୋଇଛି। ବ୍ୟବସାୟୀ ଜଣଙ୍କ ମର୍ଣ୍ଣିୱାକରେ ଯାଇଥିବାବେଳେ ଚୋରମାନେ ତାଙ୍କ ଘରେ ପଶି ପ୍ରାୟ ୧ କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଖବରପାଇ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ ପ୍ରେମନଗର ସପ୍ତମ ଲାଇନରେ ରାଜକମଲ ଏଜେନ୍ସିର ମାଲିକ ପି. ରାଜପ୍ରଭାକର ରାଓ ନିଜ ପରିବାର ସହ ରହୁଛନ୍ତି । କିଛି ଦିନ ହେବ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ପ୍ରଭାକର ଏକୁଟିଆ ରହୁଥିଲେ । ଆଜି ସକାଳୁ ସେ ମର୍ଣ୍ଣିୱାକ କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଚାବି ଦ୍ବାରା ତାଲା ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ତାଲା ଖୋଲିନଥିଲା।
ଯାଞ୍ଚ ପରେ ତାଙ୍କ ଘରର ମୁଖ୍ୟ ଫାଟକରେ ଅନ୍ୟ ଏକ ତାଲା ପଡିଥିବା ସେ ଦେଖିଥିଲେ। ସନ୍ଦେହ ହେବାରୁ ପ୍ରଭାକର ସେହି ତାଲାକୁ ଭାଙ୍ଗି ଘର ଭିତରକୁ ପଶିଥିଲେ। ସେତେବେଳେ ଘର ଭିତରେ ଥିବା ୨ଟି ଆଲମୀରା ଭଙ୍ଗା ଯାଇଥିବା ବେଳେ ଆସବାବପତ୍ର ଏଣେତେଣେ ପଡିଥିଲା। ଆଲମୀରା ଭିତରେ ଥିବା ପ୍ରାୟ ୧ କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇ ଯାଇଥିବା ଜଣାପଡିଥିଲା। ପ୍ରଭାକର ପୁଲିସକୁ ଫୋନ କରି ଜଣାଇବା ପରେ ବଡ ବଜାର ପୁଲିସ ତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
Powered by Froala Editor