ପତ୍ନୀଙ୍କୁ ହତ୍ୟା ପରେ ନିଜେ ଜୀବନ ହାରିଲା ସ୍ଵାମୀ
ବାହାନଗା: ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ପରେଶ ମାଝୀ (୨୨) ନିଜ ପତ୍ନୀ ରଶ୍ମିରେଖାଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି।
ସୂଚନା ମୁତାବକ, ମହାରୁଦ୍ରପୁର ଗ୍ରାମର ଦିବାକର ମାଝୀଙ୍କ ପୁଅ ପରେଶ, ୪ ବର୍ଷ ତଳେ ବାସୁଦେବପୁର ଥାନା ନୂଆଁଗାଁର ଗୟାଧର ପରିଡ଼ାଙ୍କ ଝିଅ ରଶ୍ମିରେଖାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ତେବେ ଗତ କିଛି ଦିନ ହେବ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହକୁ ନେଇ କଳହ ଲାଗି ରହିଥିଲା। ଗତ ଶନିବାର ରାତିରେ ସମାନ ଘଟଣାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମଦ ନିଶାରେ ପରେଶ ଉତ୍ତ୍ୟକ୍ତ ହୋଇ ରଶ୍ମିରେଖାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ପରେଶ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।
ପରେଶଙ୍କ ବାପା ଦିବାକର ଛୋଟ ଝିଅଟିର କାନ୍ଦ ଶୁଣି ପୁଅ ଘର ଭିତରକୁ ଯାଇଥିଲେ। ସେଠାରେ ବୋହୂ ରଶ୍ମିରେଖା ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ଚମକି ପଡ଼ିଥିଲେ। ପରେ ପୁଅକୁ ଖୋଜାଖୋଜି କରିବା ସମୟରେ ଘର ପଛପଟ ଗଛରେ ପରେଶ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor